ଏନସିଆରପି ପୋର୍ଟାଲ ତନଖି ସମୟରେ ସାଇବର ଅପରାଧ ଠାବ: ଜଣେ ଗିରଫ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଥାନା ଅଧୀନରେ ରହିଥିବା ସାଇବର ଅପରାଧୀଙ୍କୁ କାବୁ କରିବାକୁ ପୁଲିସ ଅଣ୍ଟା ଭିଡିଛି। ଆନନ୍ଦପୁର କାନାରା ବ୍ୟାଙ୍କରେ ପୁଲିସ ଜମାଖାତାରେ ମାତ୍ର ମାସକ ଭିତରେ କୋଟିଏରୁ ଉର୍ଦ୍ଧ ଟଙ୍କାର କାରବାର ସମ୍ପର୍କରେ ସୂଚନା ପାଇଥିଲା। ଘଟଣାର ତନାଘନା ପରେ ଆନନ୍ଦପୁର ପୁଲିସ ଓ ନନ୍ଦିପଦା ପୁଲିସର ମିଳିତ ଉଦ୍ୟମରେ ନନ୍ଦିପଦା ଥାନା ଜାମିତିରା ଗ୍ରାମରୁ ଗେଡ଼ମା ସ୍କୁଲର ପିଇଟି ଅକ୍ଷୟ ପଣ୍ଡାଙ୍କ ପୁଅ ଅତିସ ପଣ୍ଡା(୨୫)କୁ ଗିରଫ କରିବାରେ ସଫଳ ହୋଇଛି। ଆନନ୍ଦପୁର ମାଉସୀ ମା ମନ୍ଦିର ନିକଟରେ ରହିଥିବା କାନାରା ବ୍ୟାଙ୍କରେ ରହିଥିବା କରେଣ୍ଟ ଜମାଖାତା ନଂ ୧୨୦୦୩୨୨୬୩୭୨୧ ରେ ମାସକ ମଧ୍ୟରେ କୋଟିଏରୁ ଉର୍ଦ୍ଧ ଟଙ୍କା କାରବାର ହେବା ପରେ ଜମାଖାତା ବନ୍ଦ ରହିବା ପୁଲିସର ସନ୍ଦେହ ପରିସରକୁ ଆସିଥିଲା। ଏହି ଜମାଖାତା ୨୭.୧୧.୨୦୨୪ ରେ ଖୋଲା ଯାଇଥିବାବେଳେ ୧୬.୧୨.୨୪ ରେ ଏହା ବନ୍ଦ ରହିଥିଲା । ମାତ୍ର ମାସକ ମଧ୍ୟରେ ଏହି ଜମାଖାତାରେ ୧ କୋଟି ୨୫ ଲକ୍ଷ ୬୧ ହଜାର ଟଙ୍କା କାରବାର ହୋଇଥିବା ଜଣାପଡିଥିଲା। ଏହି ଜମାଖାତା ନଂ କୁ ନେଇ ୭ ଗୋଟି ଅଭିଯୋଗ ହୋଇଥିଲା। ଏହି ଜମାଖାତା ଅର୍ଣ୍ଣପୁନ୍ନା ଭେରାଇଟି ଷ୍ଟୋର ନାମରେ ଖୋଲାଯାଇ ଥିବାବେଳେ ଏଥିରେ ହୋଇଥିବା ଫ୍ରଡ୍ କାରବାର ପୁଲିସର ସନ୍ଦେହକୁ ଶକ୍ତ କରିଥିଲା। ଘଟଣାକୁ ନେଇ ଆନନ୍ଦପୁର ଥାନା ଇନିସପେକ୍ଟର ଗୁରୁବାରୀ ସଏଙ୍କ ଅଭିଯୋଗ ଆଧାରରେ କେସ୍ ନଂ ୪୬/୨୬ ରେ ଏକ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ଜାମିତିରା ଗ୍ରାମରେ ଚଢାଉ କରି ଅଭିଯୁକ୍ତ ଅତିସ୍ ପଣ୍ଡାକୁ ଗିରଫ କରିଥିଲା। ଅଭିଯୁକ୍ତକୁ ଆନନ୍ଦପୁର ପୁଲିସକୁ ହସ୍ତାନ୍ତର କରାଯିବା ପରେ ଆବଶ୍ୟକ ଡାକ୍ତରୀମଇନା କରାଯାଇ କୋର୍ଟ ଋଲାଣ କରାଯାଇଥିଲା। ଏହି ଘଟଣାକୁ ନେଇ ଶନିବାର ଅପରାହ୍ନରେ ଆନନ୍ଦପୁର ଏସଡିପିଓ କମଲ କୁମାର ପଣ୍ଡାଙ୍କ ଦ୍ଵାରା ଥାନାରେ ଆଇଆଇସି ଫନିନ୍ଦ୍ର ନାଏକଙ୍କ ଉପସ୍ଥିତରେ ପ୍ରେସ୍ ମିଟ୍ ମାଧ୍ୟମରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରାଯାଇଥିଲା। ଅଭିଯୁକ୍ତ ନିକଟରୁ ପୁଲିସ କାନାରା ବ୍ୟାଙ୍କ ଜମାଖାତା, ୧୧ ଗୋଟି ଏଟିଏମ କାର୍ଡ଼, ୨ ଗୋଟି ସିମ୍ କାର୍ଡ଼, ୫ ଗୋଟି ଆଧାରକାର୍ଡ଼, ପାନ କାର୍ଡ଼, ଗୋଟିଏ ବାର୍ କୋଡ ସହିତ ଗୋଟିଏ ମୋବାଇଲ୍ ଫୋନ ଜବତ କରାଯାଇଛି ।


