କଟକରେ ଯାତାୟତରେ ବାଧା ସାଜିଛି ଓଭରହେଡ୍ ବ୍ୟାରିକେଡ୍

କଟକ,(ଓ୍ବାଇଏନଏସ): ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି କଟକ ସିଡିଏ ସେକ୍ଟର-୧୦ ଓ ୧୧ ମଧ୍ୟରେ ଲଗାଯାଇଥିବା ଏକ ଓଭରହେଡ୍ ବ୍ୟାରିକେଡ୍ । କେବଳ କଟକବାସୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଏହା ଏବେ ସାରା ରାଜ୍ୟ ପାଇଁ ସମସ୍ୟା ସାଜିଛି । ସେକ୍ଟର-୧୧ ବାଲିଘାଟ ଗଡ଼ାରୁ ସେକ୍ଟର-୧୦ ମଧୁସେତୁ ଗଡ଼ା ପର୍ଯ୍ୟନ୍ତ ରାସ୍ତାକୁ ‘ନୋ ଏଣ୍ଟ୍ରି ଜୋନ୍’ ଘୋଷଣା କରାଯାଇ ବ୍ୟାରିକେଡ୍ ଲଗାଯାଇଛି । ଫଳରେ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ବସ୍ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଅଭିଯୋଗ ହୋଇଛି । କଟକର କାଠଯୋଡ଼ି ନଦୀବନ୍ଧକୁ ମହାନଦୀ ମଧୁସୂଦନ ସେତୁ ସହ ସଂଯୋଗ କରୁଥିବାରୁ ଏହି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ କରିଡର ଭାବେ ପରିଗଣିତ ହେଉଥିଲା । ଜାତୀୟ ରାଜପଥରେ ଗହଳି କମାଇବା ଏବଂ ଦୂରତା ହ୍ରାସ କରିବା ପାଇଁ ବ୍ୟବହାର କରାଯାଉଥିବା ଏହି ରାସ୍ତାରେ ଏବେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ଦୂରଗାମୀ ଘରୋଇ ବସ୍ ନୁହେଁ, ସରକାରଙ୍କ ପ୍ରମୁଖ ଯୋଜନା ‘ଆମ ବସ୍’ ମଧ୍ୟ ଏହି କଟକଣା ଯୋଗୁଁ ନରାଜ ପାର୍ଶ୍ବ ରାସ୍ତାରେ ଯାଇପାରୁନାହିଁ । ଫଳରେ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଓ ବୁର୍ଲା ଅଞ୍ଚଳକୁ ଯାଉଥିବା ଯାତ୍ରୀମାନେ ପ୍ରଭାବିତ ହେଉଛନ୍ତି । ସେହିପରି ରାଉରକେଲା, ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳ ଅଭିମୁଖେ ଯାଉଥିବା ଶତାଧିକ ବସ୍ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଅନୁଗୋଳ ଓ ତାଳଚେର ପାର୍ଶ୍ବରୁ ଭୁବନେଶ୍ୱରକୁ ଆସୁଥିବା ମାଲ ପରିବହନ ଗାଡ଼ି ଓ ତୈଳ ଟ୍ୟାଙ୍କର୍‌ ଗୁଡ଼ିକ ଚୌଦ୍ୱାର ହୋଇ ବୁଲି ବୁଲି ଆସିବା ପରିବର୍ତ୍ତେ ଏହି ରାସ୍ତାରେ ସହଜରେ ଯାତାୟାତ କରୁଥିଲେ । ମାତ୍ର ଗତ ୪ ଦିନ ହେବ ରାସ୍ତାର ଦୁଇ ପାର୍ଶ୍ୱରେ କମ୍ ଉଚ୍ଚତାର ଓଭରହେଡ୍ ବ୍ୟାରିକେଡ୍ ନିର୍ମାଣ କରାଯାଇଥିବାରୁ ବସ୍ ଓ ଟ୍ରକ୍ ଗୁଡ଼ିକ ଅଧା ବାଟରୁ ଫେରୁଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲାର କୌଣସି ରାସ୍ତାରେ କଟକଣା ଜାରି କରିବାର ଅଧିକାର କେବଳ ସଡ଼କ ପରିବହନ ଅଥୋରିଟି (RTA)ର ରହିଛି ଏବଂ ଏହାର ଅଧ୍ୟକ୍ଷ ହେଉଛନ୍ତି ଜିଲ୍ଲାପାଳ । ମାତ୍ର କଟକ ଜିଲ୍ଲାପାଳ ଏହି ବ୍ୟାରିକେଡ୍ ସମ୍ପର୍କରେ କୌଣସି ସୂଚନା ନଥିବା କହିବା ଏବେ ପ୍ରଶାସନିକ ସମନ୍ୱୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଏ ଓ କେଉଁ ପରିସ୍ଥିତିରେ ଏହି ବ୍ୟାରିକେଡ୍ ଲଗାଇଛି ତାହାର ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି, “କଟକଣା ଲଗାଇବାର ଅଧିକାର ହେଉଛି RTA ବିଭାଗର । ଜିଲ୍ଲାପାଳ ଏହାର ଅଧ୍ୟକ୍ଷ । କ’ଣ ସମସ୍ୟା ହୋଇଛି ତାହା ଉପରେ ଦୃଷ୍ଟି ଦିଆଯିବ । ଯେପରି ଜନସାଧାରଣ ଓ ସ୍ଥାନୀୟ ବାସିନ୍ଦାଙ୍କ ଅସୁବିଧା ହେବନାହିଁ, ସେ ଉପରେ ଧ୍ୟାନ ଦିଆଯିବ । “

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ