ସାମାଜିକ ନାଟକ “ଅସତୀ ତୁଳସୀ ସତୀ ଚଉରା” ମଞ୍ଚସ୍ଥ
ଆସିକା (ୱାଇଏନ୍ଏସ୍) : ଆସିକା ନିକଟସ୍ଥ ରେଡି ଦାମୋଦରପଲ୍ଲୀ ଗ୍ରାମର ଶ୍ରୀଶ୍ରୀ ଦଣ୍ଡକାଳୀ ଗଣନାଟ୍ୟର ପ୍ରଯୋଜନାରେ ସୁନାମଧନ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର କହଁରଙ୍କ ନିର୍ଦ୍ଦେଶନାରେ ଶ୍ରେଷ୍ଠ ସାମାଜିକ ନାଟକ “ଅସତୀ ତୁଳସୀ ସତୀ ଚଉରା” ମଞ୍ଚସ୍ଥ ହୋଇଯାଇଛି । ରେଡି ଦାମୋଦରପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଏଲ୍ଲାମା ପୋତୁରାଜୁଙ୍କ ବାର୍ଷିକ ଝାମିଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଗଣନାଟ୍ୟର ଦ୍ୱାଦଶ ଅବଦାନରେ ଏହି ଭିନ୍ନ ସ୍ୱାଦର ସାମାଜିକ ନାଟକ ଅସତୀ ତୁଳସୀ ସତୀ ଚଉରା ମଞ୍ଚସ୍ଥ ହୋଇଥିବା ଜଣାପଡିଛି । ଯୁବ ସମାଜସେବୀ ତଥା ରେଡି ଦାମୋଦରପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ବି.କମଳ ଲୋଚନ ରେଡିଙ୍କ ଅଧ୍ୟକ୍ଷତାରେ ଗ୍ରାମର ଝାମି ପଡିଆରେ ଅନୁଷ୍ଠିତ ହୋଇଥିବା ଏହି ସାମାଜିକ ନାଟକର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଯୁବ ଆଇନଜୀବୀ ଦେବକାନ୍ତ ଶର୍ମା ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ମନରେଗା ବଞ୍ଚାଅ ଅଭିଯାନର ସାଙ୍ଗଠନିକ ସଂଯୋଜକ ମନୋରଞ୍ଜନ ପଣ୍ଡା ଓ ବରିଷ୍ଠ କଂଗ୍ରେସ ନେତା ପିଣ୍ଟୁ ଜେନା ପ୍ରମୁଖ ଯୋଗଦେଇ ରେଡି ଦାମୋଦରପଲ୍ଲୀ ଗ୍ରାମର କଳାକାର ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଦିଗରେ ଏହି ସାମାଜିକ ନାଟକ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ରେଡି ଦାମୋଦରପଲ୍ଲୀ ଗ୍ରାମର ଶ୍ରୀଶ୍ରୀ ମା ଦଣ୍ଡକାଳୀ ଗଣନାଟ୍ୟର କର୍ମକର୍ତ୍ତା ମାନଙ୍କ ପ୍ରଚେଷ୍ଟା ଓ ଗ୍ରାମବାସୀଙ୍କ ସହଯୋଗରେ ପରିବେଶିତ ହୋଇଥିବା ଏହି ସାମାଜିକ ନାଟକ “ଅସତୀ ତୁଳସୀ ସତୀ ଚଉରା” ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିଲା ବେଳେ ପ୍ରାରମ୍ଭରେ ନୃତ୍ୟନୃତ୍ୟାଙ୍ଗନାଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ସାମାଜିକ ନାଟକ “ଅସତୀ ତୁଳସୀ ସତୀ ଚଉରା”କୁ ସୁପରିଚାଳନା କରିବା ଦିଗରେ ସରପଞ୍ଚ ବି.କମଳ ଲୋଚନ ରେଡି, ବି.ସାରଙ୍ଗଧର ରେଡି, ଏ.ହରିଶରଣ ରେଡି, ଏମ୍.ରାମାରାଓ ରେଡି, ଏମ୍.ମୋହନବାବୁ ରେଡି, ଏନ୍.ମୃତ୍ୟୁଞ୍ଜୟ ରେଡି, ବି.ସିମାଂଚଳ ରେଡି, ଜି.ଗୌର ରେଡି, ଏ.ରାଜେନ୍ଦ୍ର ରେଡି, ବି.କାଳିଆ ରେଡି, ବି.ସତ୍ୟନାରାୟଣ ରେଡିଙ୍କ ସମେତ ଶ୍ରୀ ଶ୍ରୀ ଦଣ୍ଡକାଳୀ ଗଣନାଟ୍ୟ ସଂସଦର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ଓ କଳାକାର ବୃନ୍ଦ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


