ଚୌଦ୍ୱାର ଜେଲରୁ ଝାରପଡ଼ା ଜେଲ୍‌ ଗଲା ବିହାରୀ ଅପରାଧୀ ମଧୁକାନ୍ତ ରଣା

କଟକ,(ଓ୍ବାଇଏନଏସ): ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା ଫେରାର ବିହାରୀ ଅପରାଧୀ ମଧୁକାନ୍ତ ରାଣାକୁ ଭୁବନେଶ୍ୱର ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ମଧୁକାନ୍ତ ବିଦା ହେବା ପରେ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । କୋର୍ଟର ଅନୁମତି ପରେ ମଧୁକାନ୍ତକୁ କଟକ କମିସନରେଟ୍ ପୁଲିସ ସହାୟତାରେ କଡ଼ା ସୁରକ୍ଷା ବଳୟରେ ନେଇ ଝାରପଡ଼ା ଜେଲ୍‌କୁ ପଠାଯାଇଛି ବୋଲି ଜେଲ ଅଧିକ୍ଷକ ସୁଜିତ ରାଉଳ ସୂଚନା ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ମଧୁକାନ୍ତକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ଅନ୍ୟତମ ଫେରାର ଅପରାଧୀ ରାଜା ସାହାଣିର ଟେର୍ ଅଦ୍ୟାବଧି ମିଳିପାରିନାହିଁ ।ଅନ୍ୟପକ୍ଷରେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ଓ ରାଜା ଜେଲ୍‌ର ପାଚେରି ଡେଇଁ ଫେରାର ହେବା ଘଟଣାରେ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ଏବେ ବି ଅଡୁଆରେ ଅଛନ୍ତି । ଏହି ଘଟଣାରେ ପୁଲିସର ତଦନ୍ତ ଏବେ ବି ଜାରି ରହିଛି । ବୃନ୍ଦାବନରୁ ଅଭିଯୁକ୍ତ ମଧୁକାନ୍ତଙ୍କୁ ଚୌଦ୍ୱାର ପୁଲିସ ଗତ ୧୪ ତାରିଖରେ ଗିରଫ କରିବା ପରେ ଅଧିକ ତଦନ୍ତ ପାଇଁ ୬ ଦିନିଆ ରିମାଣ୍ଡରେ ଅଣି ଜେରା କରିଥିଲା । ଅଭିଯୁକ୍ତକୁ ପୁଲିସ ଗତ ୧୭ତାରିଖରୁ ୨୨ ତାରିଖ ଯାଏ ଦିନରାତି ଜେରା କରିଥିଲା । ଜେରାରେ ପୁଲିସକୁ ସେ କିଛି ତଥ୍ୟ ଦେଇଥିବା ଜଣେ ଅଧିକାରୀ କହିଛନ୍ତି । ଜେଲ୍‌ରେ କେଉଁ ପରିସ୍ଥିତିରେ ଅଭିଯୁକ୍ତ ଫେରାର ହେଲା ଏବଂ ଏଥିରେ ସେମାନଙ୍କୁ କେଉଁମାନେ ସହାୟତା କରିଥିଲେ ସେସବୁର ବୟାନ ପୁଲିସ ରେକର୍ଡ କରିଛି । ଏଥିରେ ଚୌଦ୍ୱାର ଜେଲ୍‌ରେ କିଛି କର୍ମଚାରୀଙ୍କ ଭୂମିକା ସନ୍ଦେହ ଥିବାରୁ ସେମାନେ ଏବେ ତଦନ୍ତ ପରିସରଭୁକ୍ତ ରହିଛନ୍ତି ବୋଲି ପୁଲିସ ଅଧିକାରୀ କହିଛନ୍ତି। ଅଭିଯୁକ୍ତଠାରୁ ସଂଗ୍ରହ ହୋଇଥିବା ତଥ୍ୟ ଓ ସୂଚନାକୁ ଆଧାର କରି ଅନ୍ୟତମ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ