ଏଥର ମାସକୁ ଗୋଟେ ଶନିବାର ହେବ ହାଇକୋର୍ଟ କାର୍ଯ୍ୟ

କଟକ, (ଓ୍ବାଇଏନଏସ): ପୁରୁଣା ମାମଲା ଏବେ ଅଦାଲତଙ୍କ ପାଇଁ ବୋଝ ହୋଇପଡ଼ିଛି । ୨୦/୩୦ବର୍ଷ ତଳର ମାମଲା ଫଏସଲା ନହୋଇ ଏବେ ବି ଗଡ଼ୁଛି। ଏହା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ବିଳମ୍ବିତ ହେବା ସହ ବେଳେବେଳେ ଜଣେ ନିର୍ଦ୍ଦୋଷ ବି ଜେଲ୍‌ର ଚାରି କାନ୍ଥ ମଧ୍ୟରେ ରହିଯାଉଛି । ଏହିଭଳି ପୁରୁଣା ଫୌଜଦାରୀ ମାମଲାଗୁଡ଼ିକ ବିଚାର ବ୍ୟବସ୍ଥା ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରୁଛି । ଏହି ସମସ୍ୟାର ସମାଧାନ ପାଇଁ ହାଇକୋର୍ଟରେ ଶନିବାର ବି କୋର୍ଟ କାର୍ଯ୍ୟ ପାଇଁ ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଥିଲେ । ଏହି ପରାମର୍ଶକୁ ଆଧାର କରି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଏବଂ ବରିଷ୍ଠ ଆଇନଜୀବୀଙ୍କ ସହ ହାଇକୋର୍ଟର ବିଚାରପତିମାନେ ବିଚାର ଆଲୋଚନା କରିଛନ୍ତି । ମାସର ଗୋଟିଏ ଶନିବାର ହାଇକୋର୍ଟ ବସିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଯେଉଁଥିରେ କେବଳ ପୁରୁଣା ଫୌଜଦାରୀ ମାମଲାର ଶୁଣାଣି କରାଯିବ । ବିଶେଷକରି ୨୦ବର୍ଷ ପୁରୁଣା ମାମଲାର ଶୁଣାଣି ଉପରେ ଗୁରୁତ୍ୱାରୋପ କରାଯିବ । ଯେଉଁ ଆଇନଜୀବୀମାନେ ଆଗ୍ରହ ଦେଖାଇବେ ସେହିମାନଙ୍କ ମାମଲାର ମଧ୍ୟ ଶନିବାର ଶୁଣାଣି କରାଯିବ ।ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଦିକ୍ଷୀତ କେ.ଏସ୍‌., ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏବଂ ଜଷ୍ଟିସ୍‌ ଭି. ନରସିଂହ, ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର, ସମ୍ପାଦକ ଅଭିଜିତ୍‌ ପଟ୍ଟନାୟକ, ଅନ୍ୟାନ୍ୟ କର୍ମକର୍ତ୍ତା, ବହୁ ବରିଷ୍ଠ ଆଇନଜୀବୀଙ୍କ ଉପସ୍ଥିତିରେ ବୁଧବାର ହାଇକୋର୍ଟ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ବସିଥିଲା । ହାଇକୋର୍ଟର ବିଚାରପତିମାନେ ମାସର ଯେକୌଣସି ଗୋଟେ ଶନିବାର କୋର୍ଟ ବସିବା ପ୍ରସ୍ତାବ ବାର୍‌ ଆସୋସିଏସନ୍‌କୁ ଜଣାଇଥିଲେ । ସୁପ୍ରିମ୍‌କୋର୍ଟ ପ୍ରତ୍ୟେକ ଶନିବାର କୋର୍ଟ କରିବା ଲାଗି ହାଇକୋର୍ଟଙ୍କୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ମାସର ଦୁଇଟି ଶନିବାର କୋର୍ଟ କାର୍ଯ୍ୟାଳୟ ଛୁଟି ରହିବ । ଅନ୍ୟ ଦୁଇଟି ଶନିବାର ମଧ୍ୟରୁ ଗୋଟିଏ ଶନିବାର କୋର୍ଟ ବସିବା କଥା ଚିନ୍ତା କରାଯିବାକୁ କୁହାଯାଇଥିଲା । ପୁରୁଣା ମାମଲାର ଫଏସଲା କରିବା ଲାଗି ଏଭଳି ଏକ ପଦକ୍ଷେପ ନେବାକୁ ବିଚାରପତିମାନେ ହାଇକୋର୍ଟ ବାର୍‌କୁ କହିଥିଲେ । ଏହା ଉପରେ ବାର୍‌ ଅନ୍ୟ ଆଇନଜୀବୀମାନଙ୍କ ସହ ଆଲୋଚନା କରି ହାଇକୋର୍ଟଙ୍କୁ ଜଣାଇବା ପରେ ଯାହା ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ