କ୍ରିକେଟ୍ ପରେ ଚେସ ସଂଘରେ କଳି, ସମ୍ପାଦକଙ୍କୁ ନିଲମ୍ବନ କଲେ ସଭାପତି
କଟକ, (ଓ୍ବାଇଏନଏସ): ବାର୍ଷିକ ବଜେଟରେ ଏଥର ରାଜ୍ୟ ସରକାର କ୍ରୀଡ଼ା ପାଇଁ ୧୩୫୯ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶରେ ଏହି ଅର୍ଥ ଖର୍ଚ୍ଚ ହେବ । କିନ୍ତୁ କ୍ରୀଡ଼ା ସଂଘର କାର୍ଯ୍ୟକର୍ତ୍ତାମାନେ ଯଦି ନିଜ ନିଜ ମଧ୍ୟରେ ଗୋଷ୍ଠୀ ବିବାଦରେ ଲିପ୍ତ ରହିବେ ତାହେଲେ ରାଜ୍ୟ ସରକାରଙ୍କ କ୍ରୀଡ଼ାକୁ ନେଇ ଯେଉଁ ମହତ ଉଦ୍ଦେଶ୍ୟ କ’ଣ ପୂରା ହୋଇପାରିବ? ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ନିର୍ବାଚନକୁ ନେଇ ବିବାଦ ଚାଲିଥିବାବେଳେ ଏବେ ଅଲ୍ ଓଡ଼ିଶା ଚେସ୍ ସଂଘ (ଏଓସିଏ) ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଇଛି । ଏଓସିଏର ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ଏବଂ ସମ୍ପାଦକ ଦେବବ୍ରତ ଭଟ୍ଟ ଦୁଇ ଗୋଷ୍ଠୀ ହୋଇଛନ୍ତି । ପୂର୍ବରୁ ସଭାପତି ସଂଘରେ ସମ୍ପାଦକଙ୍କ ଦ୍ୱାରା ଆର୍ଥିକ ଅନିୟମିତତାର ଅଭିଯୋଗ ଆଣି ବ୍ୟାଙ୍କ ଖାତାଙ୍କୁ ଅଚଳ କରିଦେଇଥିଲେ । ପୁଣି ଭୁବନେଶ୍ୱରରେ ଗତ ୨୪ ତାରିଖରେ ସଭାପତିଙ୍କ ଅଧ୍ୟକ୍ଷତାରେ ସଂଘର କାର୍ଯ୍ୟକାରୀ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସମ୍ପାଦକ ଭଟ୍ଟଙ୍କୁ ନିଲମ୍ବନ କରାଯାଇଛି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ଅଲ୍ ଓଡ଼ିଶା ଚେସ ସଂଘର (ଏଓସିଏ) ଜରୁରି ସାଧାରଣ ବୈଠକ ବସିବ ବୋଲି ଗତ ୧୮ ତାରିଖରେ ସମ୍ପାଦକଙ୍କ ଅଧ୍ୟକ୍ଷତାରେ କଟକରେ ଅନୁଷ୍ଠିତ କାର୍ଯ୍ୟକାରିଣୀ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ଗତ ଡିସେମ୍ବର ୩୧ ତାରିଖରେ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ବସିଥିଲା । ଏଭଳି ବାଦ ବିବାଦ ମଧ୍ୟରେ ସଂଘର କାର୍ଯ୍ୟ ବନ୍ଦ ହୋଇଯାଇଛି । ଏହାର ପ୍ରଭାବ ଖେଳାଳିଙ୍କ ଉପରେ ପଡ଼ୁଛି । ଯାହାକୁ ନେଇ ଅଭିଭାବକମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜାତୀୟ ପ୍ରତିଯୋଗିତାର ଅଭ୍ୟବହିତ ପୂର୍ବରୁ ରାଜ୍ୟ ପ୍ରତିଯୋଗିତା ଗୁଡ଼ିକ ଠିକ୍ ସମୟରେ ପୂର୍ବ ବର୍ଷ ଆୟୋଜିତ ହୋଇପାରି ନଥିଲା । ତେଣୁ ଖେଳାଳିମାନେ ଭଲ ଭାବେ ପ୍ରାକ୍ ପ୍ରସ୍ତୁତି କରିପାରି ନଥିଲେ । ‘ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବହୁ ପଦକ୍ଷେପ ନେଉଛନ୍ତି । କିନ୍ତୁ ରାଜ୍ୟ ସଂଘ ଗୁଡ଼ିକରେ ଏଭଳି ବିବାଦ ଯୋଗୁ ପିଲାମାନେ ପ୍ରଭାବିତ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଜଣେ ଖେଳାଳିଙ୍କ ମାଆ ନିଜ ନାମ ଗୋପନ ରଖି କହିଛନ୍ତି ।ସଭାପତି ସତ୍ୟରଞ୍ଜନ କହିଛନ୍ତି, ‘ମୋର ବାରମ୍ବାର ଅନୁରୋଧ ସତ୍ତେ୍ୱ ସମ୍ପାଦକ ୨୦୨୪-୨୫ ବର୍ଷର ଅଡିଟ ନକରିବା, ଆର୍ଥିକ ଅନିୟମିତତା ଓ ସମ୍ବିଧାନର ଉଲ୍ଲଂଘନ ପ୍ରଭୃତି ବିଭିନ୍ନ ଅଭିଯୋଗରେ ସଂଘ ସମ୍ବିଧାନର ଧାରା ଅନୁଯାୟୀ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବନ କରାଯାଇଛି । ଆସନ୍ତା ୧ ତାରିଖରେ ସେ ଡକାଇଥିବା ସାଧାରଣ ପରିଷଦ ବୈଠକକୁ ସମସ୍ତ ସଦସ୍ୟ ଅବୈଧ ବୋଲି ମତ ଦେଇଛନ୍ତି ।’ ଏତିକି କହିବି, ରାଜ୍ୟରେ ଚେସର ଅଗ୍ରଗତି ଦିଗରେ ମୁଁ କାର୍ଯ୍ୟ କରୁଛି । ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର ଚେସ୍ ପ୍ରତିଯୋଗିତାର ଆୟୋଜନ କରୁଛି । ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର । ସେମାନେ ସଂଘର ବ୍ୟାଙ୍କ ଖାତା ଅଚଳ କରିଛନ୍ତି । ଟଙ୍କାଟିଏ ବି ଆର୍ଥିକ ଅନିୟମିତତା ହୋଇନି । ସେମାନେ ପ୍ରମାଣିତ କରନ୍ତୁ । ଯଦି ପ୍ରମାଣିତ ହୁଏ ତେବେ ନିଜ ପଦରୁ ଇସ୍ତଫା ଦେବା ସହ ସମସ୍ତ ଅର୍ଥର ଦୁଇ ଗୁଣା ଫେରସ୍ତ କରିବି । ସମସ୍ତଙ୍କୁ ମୋର ଅନୁରୋଧ ଓ ଆହ୍ୱାନ, ରାଜ୍ୟରେ ଚେସ୍ର ବିକାଶକୁ ଦ୍ୱନ୍ଦ୍ୱର ପ୍ରାଚୀର ହୋଇ ନୁହଁ ବରଂ ସହଯୋଗର ହାତ ବଢ଼ାଇ ତ୍ୱରାନ୍ୱିତ କରାନ୍ତୁ ବୋଲି ସମ୍ପାଦକ ଦେବବ୍ରତ ଭଟ୍ଟ କହିଛନ୍ତି ।


