ବାଇକ ଦୁର୍ଘଟଣାରେ ଚାଳକ ମୃତ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) :ରବିବାର ଅପରାହ୍ନ ପ୍ରାୟ ୪ ଟାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡାହାଡ ଡ୍ୟାମ ରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ଏକ ପଲସର ବାଇକ୍ ନଂ. (ଓଡି୦୭ ବିଡି ୨୬୫୬) ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସୁରକ୍ଷା ପାଚେରି (ଗାର୍ଡ ୱାଲ) ସହ ପିଟି ହୋଇଯିବା ଫଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବାଇକ୍ ଚାଳକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାରିତୋଳା ଗ୍ରାମର ଶ୍ରୀଧର ମହାନ୍ତି (୨୬)।ସେ କୌଣସି କାମରେ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଘଟଣା ନେଇ ଦିଗପହଣ୍ଡି ଥାନା କୁ ସୂଚନା ଦିଆଯିବା ପରେ ପୁଲିସ ଟିମ୍ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି। ସେହିପରି ଦୁର୍ଘଟଣା ସ୍ଥଳରୁ ପଲସର ବାଇକ୍ କୁ ପୁଲିସ ଜବତ କରି ତଦନ୍ତ ଚଳାଇଛନ୍ତି ।


