ଭାଇଚାରାର ସହର ବାଲିମେଳା ଠାରେ ରଙ୍ଗର ପର୍ବ ହୋଲି ଅନୁଷ୍ଠିତ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଠାରେ ହୋଲି ପର୍ବ ବାଲିମେଳା ବାସୀ ବଡ଼ ଧୁମ୍ ଧାମରେ ପାଳନ କରିଛନ୍ତି। ରଙ୍ଗର ପର୍ବ ହୋଲି କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବାଲିମେଳାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହୋଲି ଖେଳିବା ଏକ ପର୍ବ ନୁହେଁ। ଏହା ଖେଳିବା ଦ୍ଵାରା ସମାଜରେ ଏକତା, ଭାଇଚାରା, ଓ ପ୍ରେମର ବାର୍ତ୍ତା ମଧ୍ୟ ବାଣ୍ଟିଥାଏ। ଯାହା ବାଲିମେଳା ସହରରେ ଦେଖିବାକୁ ମିଳିଛି। ଏହା ହୋଲିର ପର୍ବ ମୁଖ୍ୟତଃ ବସନ୍ତ ଋତୁ ଅର୍ଥାତ୍ ବସନ୍ତ ଅମଳ ସମୟରେ ପାଳନ କରାଯାଏ ଯାହା ଶୀତର ଶେଷକୁ ମଧ୍ୟ ଚିହ୍ନିତ କରିଥାଏ ଏବଂ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏହା ଫାଲଗୁନ ମାସରେ ପାଳନ କରାଯାଏ । ଏହି ପର୍ବ ଫାଲଗୁନ୍ ପୂର୍ଣ୍ଣିମା ତିଥିର ସନ୍ଧ୍ୟା ଠାରୁ ଆରମ୍ଭ ହୁଏ ଏବଂ ଦୁଇ ଦିନ ପାଇଁ ପାଳନ କରାଯାଏ । ହୋଲି ରଙ୍ଗ ହସର ପର୍ବ ଅଟେ । ଏହା ଭାରତର ଏକ ପ୍ରମୁଖ ତଥା ପ୍ରସିଦ୍ଧ ପର୍ବ, ଯାହା ବର୍ତ୍ତମାନ ସାରା ବିଶ୍ୱରେ ପାଳନ କରାଯାଉଛି । ଏହି ଦିନ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଅଟେ ।ଡ୍ରଗଲାଇନ, ଓସିସି, କାଳୀଛକ, ବଜାର ଓ ଅଫିସର ଲାଇନ୍ ସବୁ ଯାଗାରେ ସମସ୍ତେ ରଙ୍ଗର ପର୍ବରେ ରଙ୍ଗେଇ ହୋଇ ମନରେ ଥିବା ରାଗ, ଋଷା, ଅଭିମାନ ସମସ୍ତ ଭୁଲି ଯାଇ ପରସ୍ପର ମଧ୍ୟରେ ରଙ୍ଗ ବୋଳି ହୋଇ ସମସ୍ତଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ଦେଖିବାକୁ ମିଳିଥିଲା। ଏହିଭଳି ଦିନରେ ରାଧା କୃଷ୍ଣଙ୍କ ଦୋଳ ଭକ୍ତ ମାନଙ୍କ ଗହଣରେ ନଗର ପରିକ୍ରମା କରିବା ସହ ସମସ୍ତ ଛକରେ ବାଲିମେଳା ବାସୀ ପ୍ରଭୁ ରାଧାକୃଷ୍ଣଙ୍କୁ ପାଛୋଟି ନେଇ ପୂଜାର୍ଚ୍ଚନା କରିବା ସହ ଦହି ହାଣ୍ଡି ଭାଙ୍ଗିବା ମଧ୍ୟ ଦେଖିବାକୁ ମିଳିଥିଲା । କିଛି ସ୍ତ୍ରୀ ଲୋକ ମାନେ ମଧ୍ୟ ଏନ୍ ଏ ସି କଲ୍ୟାଣ ମଣ୍ଡପ ଠାରେ ଏକତ୍ରିତ ହୋଇ ନିଜ ପିଲା ମାନଙ୍କୁ ରାଧା କୃଷ୍ଣଙ୍କ ବେଶରେ ସଜେଇ ହୋଇ ନାଚ ଗୀତ ସହ ବଡ଼ ଧୁମ୍ ଧାମରେ ପରସ୍ପର ମଧ୍ୟରେ ରଙ୍ଗ ବୋଳା ବୋଳି ହୋଇ ପାଳନ କରିଥିଲେ ଏଵଂ ଆସିଥିବା ଅତିଥି ମାନଙ୍କୁ ପଣା ଦେଇ ସତ୍କାର ମଧ୍ୟ କରିବା ଦେଖିବାକୁ ମିଳିଥିଲା।


