‘ଆନ୍ତର୍ଜାତୀୟ ମହିଳା ଦିବସ’ ର ଉଦଘାଟନ ହେଲା ପ୍ରଥମ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା): ଆସନ୍ତା ମାର୍ଚ୍ଚ ୮ ତାରିଖ ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ । ଏଥି ନିମନ୍ତେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ମାର୍ଚ୍ଚ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ମନସ୍ଥ କରିଛି । ସେଥି ନିମନ୍ତେ ଆଜି ସକାଳ ୮.୦୦ ଘଟିକା ସମୟରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଆଇ ଟି ଆଇ ପଡ଼ିଆ ପରିସରରେ ଥିବା ଇଣ୍ଡର ଷ୍ଟାଡିୟମରେ ଆନ୍ତର୍ଜାତୀୟ ମହିଳା ଦିବସକୁ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି । ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ଫଟୋରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରି ସଭା କର୍ଯ୍ୟ ଆରମ୍ଭ କରିଥିଲେ। ଏଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବାଲେଶ୍ୱର, ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ସୁଧାକର ନାଏକ, ମାନ୍ୟବର ମ୍ୟୁନିସିପାଲଟି ଅଧ୍ୟକ୍ଷା, ଶ୍ରୀମତୀ ସବିତା ସାହୁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲେଶ୍ୱର ଜିଲ୍ଲା ପରିଷଦ, ଡା. ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ, ପ୍ରତିଭା ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ, ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସ୍ୱିନ ଥିଲେ। ପ୍ରଥମେ ସାମୁହିକ ଯୋଗାଭ୍ୟାସ କରାଇଥିଲେ ଯୋଗ ଶିକ୍ଷକ। ପରେ ବିଭିନ୍ନ ପ୍ରକାରର ଶାରୀରିକ କାର୍ଯ୍ୟକଳାପ ସବୁ ସମ୍ପାଦନ କରାଯାଇଥିଲା । ଏଠାରେ ବହୁ ସଂଖ୍ୟାରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀ, ମହିଳା କ୍ରୀଡାବିତ୍, ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ, ଗୃହିଣୀ, ମହିଳା ପୋଲିସ୍ କର୍ମଚାରୀ, ବିଭିନ୍ନ ଏନଜିଓ ର ସଦସ୍ୟା ବୃନ୍ଦ ଏବଂ ବିଭିନ ସମ୍ପ୍ରଦାୟ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ।


