ଶିକ୍ଷୟିତ୍ରୀଙ୍କୁ ଅସୌଜନ୍ୟ ବ୍ୟବହାର କରିବା ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ
ହାଟଡିହି ,(ଓ୍ବାଇଏନଏସ) : ଜଣେ ଶିକ୍ଷୟିତ୍ରୀଙ୍କୁ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆ ଯାଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ସୂଚନାରୁ ଜଣା ଯାଇଛି ଯେ ହାଟଡିହି ବ୍ଲକ ମିଠିଗାଁ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ବେହେରା ଗତ ଶନିବାର ଦିନ ବିଦ୍ୟାଳୟ ଛୁଟି ହେବା ପରେ ଏକୁଟିଆ ସୁଯୋଗ ନେଇ ସେହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ବିଇଓ ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ହାଟଡିହି ବିଇଓ ରାଜୀବ ଦଳେଇ ଆଇସିସି କମିଟି ଜରିଆରେ ତଦନ୍ତ ରିପୋର୍ଟ ମଗାଇଥିଲେ । ପାଞ୍ଚ ଜଣିଆ ଆଇସିସି କମିଟି ଘଟଣା ଦୁର୍ଭାଗ୍ୟ ଜନକ ବୋଲି ରିପୋର୍ଟ ଦେବାପରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ତାଙ୍କ ଚିଠି ନଂ ୭୩୬/ ତା ୭/୩/୨୦୨୬ ରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। କିନ୍ତୁ ପ୍ରଧାନ ଶିକ୍ଷକ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ମୋ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି ସଫେଇ ଦେଇଛନ୍ତି।


