ରାସ୍ତା କାମକୁ ନେଇ ବଳଭଦ୍ରପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ: ୫ରୁ ଉର୍ଦ୍ଧ୍ଵ ଆହତ, ଜଣେ ଗୁରୁତର

ହାଟଡିହି (ଓ୍ବାଇଏନଏସ): ରାସ୍ତା କାମକୁ ନେଇ ବଳଭଦ୍ରପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ବେଳେ ତନ୍ମଧ୍ୟରୁ  ଜଣେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ସୂଚନାରୁ ଜଣା ଯାଇଛି ଯେ ଗ୍ରାମର କୈଳାଶ ଜେନା ଘର ଠାରୁ ବଳଭଦ୍ରପୁର ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନାରେ ୭ଲକ୍ଷ ଟଙ୍କାର କାମ ଆସିଥିଲା। ଗାଁ ର ଦୁଇଟି ଗୋଷ୍ଠୀ ଏହି କାମ କରିବାକୁ ଆଗଭର ଥିବାବେଳେ ଉଭୟ ମାଟି ପକାଇ କାମ ଆରମ୍ଭ କରିବାରୁ ଉଭୟନଙ୍କ ଭିତରେ ଛକା ପଞ୍ଝା ଲାଗିଥିଲେ। ଆଜି ଗୋଟିଏ ଗୋଷ୍ଠୀ ବାଉଁଶ ବାନ୍ଧି ପ୍ରଥମେ ରାସ୍ତା ବନ୍ଦ କରିଦେବାରୁ ଅନ୍ୟ ଗୋଷ୍ଠୀର ଟ୍ରାକ୍ଟର ମାଟି ପକାଇବାକୁ ଯାଇ ପାରି ନଥିଲା। ଫଳରେ ଅପର ଗୋଷ୍ଠୀର ଲୋକେ ଗାଁ ମୁଣ୍ଡକୁ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଦେଇଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡା ଓ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଗୋଟିଏ ଗୋଷ୍ଠୀ ପୋଲିସ କୁ ଡାକିବାରୁ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଲୋକଙ୍କୁ ଥାନାକୁ ଯିବାକୁ ପରାମର୍ଶ ଦେଇ ଚାଲି ଯାଇଥିଲା। କିଛି ସମୟ ପରେ ଉଭୟ ଗୋଷ୍ଠୀ ଥାନାକୁ ଯିବା ବେଳେ ବାଟରେ ପରସ୍ପରକୁ କଟାକ୍ଷ କରିବାରୁ ଏହା ସଂଘର୍ଷର ରୂପ ନେଇଥିଲା। ଉଭୟ ଗୋଷ୍ଠୀଙ୍କ ଭିତରେ ଠେଙ୍ଗା ଓ ଲୁହା ରଡରେ ପରସ୍ପରକୁ ଆକ୍ରମଣ କରିବାରୁ ହିରଣ୍ୟ ଜେନା, ନିମାଇଁ ଜେନା, ଶିବ ସୁନ୍ଦର ଜେନା, ବାବନ ଜେନା, ସମିର ଜେନା, ଟୁକୁନା ଜେନା, ପ୍ରଫୁଲ ଜେନା, ଆହତ ହୋଇଥିଲେ। ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତନ୍ମଧ୍ୟରୁ ହିରଣ୍ୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣା ଯାଇଛି। ଏନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଆନନ୍ଦପୁର ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ