ବାଲେଶ୍ୱରରେ ଚିନ୍ମୟ ମିଶନ ନୂତନ ଗୃହ ଉଦ୍ଘାଟନ ଉତ୍ସବ
ବାଲେଶ୍ୱର (ସରୋଜ ପଣ୍ଡା): କୁରୁଡ଼ାସ୍ଥିତ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଚିନ୍ମୟ ମିଶନ ବାଲେଶ୍ୱର ଶାଖାର ନିଜସ୍ୱ ଆଶ୍ରମର ଶୁଭଗୃହ ପ୍ରବେଶ ବୈଦିକ ରୀତିରେ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଆଧ୍ୟାମିôକ କ୍ଷେତ୍ରରେ ଚିନ୍ମୟ ମିଶନର ବିଭିନ୍ନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ମିଶନର ଆଗାମୀ କାର୍ଯ୍ୟକ୍ରମମାନଙ୍କରେ ତାଙ୍କର ସହଯୋଗ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଦିବସବ୍ୟାପୀ ଗୃହପ୍ରବେଶ ଉତ୍ସବ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟାହ୍ନରେ ମିଶନ ତରଫରୁ ପ୍ରସାଦସେବନ କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସନ୍ଧ୍ୟାରେ ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ଗୃହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପ୍ରଫୁଲ୍ଲ କୁମାର ଦାସ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିଲେ। ମିଶନର ସଭାପତି ଡ. କ୍ଷିତୀଶ୍ୱର ଦାଶ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଦିବାକର ମହାପାତ୍ର ଅତିଥି ପରିଚୟ ସହ ଚିନ୍ମୟ ମିଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଶାର ବିଭିନ୍ନ ଚିନ୍ମୟ ମିଶନ ପକ୍ଷରୁ ବ୍ରହ୍ମପୁରରୁ ଆଚାର୍ଯ୍ୟ ସ୍ୱାମୀ ସଦାଶିବାନନ୍ଦ ସରସ୍ୱତୀ, ଜଗତପୁରରୁ ସ୍ୱାମୀ ଓଁକାରାନନ୍ଦ ସରସ୍ୱତୀ, ଭୁବନେଶ୍ୱରରୁ ସ୍ୱାମୀ ଚିଦଘନାନନ୍ଦ ସରସ୍ୱତୀ, ଦେବଗଡ଼ରୁ ସ୍ୱାମିନୀ କନିଷ୍ଠାନନ୍ଦା ସରସ୍ୱତୀ, ଉଦଳାରୁ ଅଚ୍ୟୁତ ଚୈତନ୍ୟ, କେନ୍ଦୁଝର ଜିଲ୍ଲା ଦେଉଳଡିହାରୁ ବ୍ରହ୍ମଚାରୀ ଅନିକେତ ଚୈତନ୍ୟ ଉପସ୍ଥିତ ରହି ସେମାନଙ୍କର ଆଶୀର୍ବଚନ ପ୍ରଦାନ କରିଥିଲେ। ବାଲେଶ୍ୱର ମିଶନର ଆଚାର୍ଯ୍ୟ ଅଗସ୍ତ୍ୟ ଚୈତନ୍ୟ ଭୂମି ଆହୋରଣ ଠାରୁ ବାଲେଶ୍ୱର ମିଶନର ସଂଘର୍ଷର ଇତିହାସ ପ୍ରଦାନ କରିଥିଲେ। ସ୍ଥାୟୀ ଗୃହନିର୍ମାଣର ମୁଖ୍ୟ ଦାୟିତ୍ୱରେ ଥିବା ଅକ୍ଷୟ କୁମାର ତ୍ରିପାଠୀ ଗୃହ ନିର୍ମାଣରେ ଆର୍ଥିକ ଅନୁଦାନ ଦେଇଥିବା ବାଲେଶ୍ୱରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। କମଳାକାନ୍ତ ପଣ୍ଡାଙ୍କ ବିଶେଷ ଅନୁଦାନରେ ନିର୍ମିତ ସତ୍ସଙ୍ଗ ହଲ୍କୁ ତାଙ୍କ ମା’ ପଦ୍ମାବତୀଙ୍କ ନାମରେ ନାମିତ କରାଯାଇଛି। ଏହି ଅବସରରେ ମିଶନ ଗୃହ ନିର୍ମାଣରେ ବିଶେଷ ଅନୁଦାନ ଓ ସହଯୋଗ ପାଇଁ ସର୍ବଶ୍ରୀ ସୁଧାସିନ୍ଧୁ ପଣ୍ଡା, ତୁଳସୀ ରଞ୍ଜନ ମିଶ୍ର, ପ୍ରିୟ ଦର୍ଶିନୀ ଆଚାର୍ଯ୍ୟ ଓ ଉମାକାନ୍ତ ଧୂପତିଙ୍କୁ ସମ୍ମାନିତ କରାଯାଇଥିବାବେଳେ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ, ମିଶନର ପ୍ରଥମ ସଂପାଦକ ହରିଶ ଚନ୍ଦ୍ର ସାହୁ, ରାଜମିସ୍ତ୍ରୀ ନୀଳକଣ୍ଠ ମଙ୍ଗଳ, ସ୍ଥପତି ଇଂ. ଚୈତନ୍ୟ ସେଠୀ, ଶୁଭେଚ୍ଛୁ କମଳିନୀ ସ୍ୱାଇଁ ଏବଂ ନିହାର ରଞ୍ଜନ ରାୟଙ୍କୁ ମିଶନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ସନ୍ଧ୍ୟା ୬.୩୦ରୁ ୮ ଘଟିକା ପର୍ଯ୍ୟନ୍ତ ଅନୁଗୁଳ ମିଶନର ଆଚାର୍ଯ୍ୟା ସ୍ୱାମିନୀ ଆତ୍ମିକାନନ୍ଦା ସରସ୍ୱତୀ ପ୍ରବଚନ ଦେବେ ବୋଲି ମିଶନର ଆଚାର୍ଯ୍ୟ ଅଗସ୍ତ୍ୟ ଚୈତନ୍ୟ ପ୍ରକାଶ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଯୋଗଦାନ କରିବାପାଇଁ ନିବେଦନ କରିଥିଲେ। ଏହି ଉତ୍ସବରେ ବରିଷ୍ଠ ଉପଦେଷ୍ଟା ଜଗଦୀଶ ପ୍ରସାଦ ଖଣ୍ଡେଲୱାଲ୍, ଉଦୟ କୁମାର ଦାସ, ଡ. ବେଣୁମାଧବ ଶତପଥୀ, କୋଷାଧ୍ୟକ୍ଷ ଗଙ୍ଗାଧର ପୃଷ୍ଟି, ରଜନୀ କାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରବିନାରାୟଣ ଭୋଳ, ଅନିରୁଦ୍ଧ ବେହେରା, ଦୀପ୍ତା କୁଣ୍ଡୁ, ସବିତା ମହାପାତ୍ର, ସରୋଜ ସାମଲ, ବିବେକାନନ୍ଦ କେନ୍ଦ୍ରର ସଭାପତି ଡ. ଗୀତା ଗିରି, ତ୍ରିଲୋଚନ ଦାସ ମହାପାତ୍ର, ମାନସ ଓ ରଶ୍ମି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମିଶନର ପୂର୍ବତନ ସଭପତି ୰ ଧୀରେନ୍ଦ୍ର ନାରାୟଣ ଦାସ ଓ ୰ ରାମଚନ୍ଦ୍ର ନାୟକଙ୍କ ଉଦ୍ଦେଶ୍ୟରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଅନ୍ୟତମ ଉପସଭାପତି ବିଜୟ କୁମାର ଦାସଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସ୍ଥାନୀୟ ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।


