ପାରଳା ସହର ଉପକଣ୍ଠର ଶାନ୍ତିନଗର ପିଇବା ପାଣି ଅଭାବ: ପାଣି ପାଇଁ ଯିବାକୁ ପଡୁଛି ୨ କିମି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରହିଛି ଶାନ୍ତିନଗର ନାମରେ ଏକ ଜନବସତି. ଏଠାରେ ରହୁଛନ୍ତି 400 ପରିବାରର 1500 ରୁ ଉର୍ଦ୍ଧ ଲୋକେ. ହେଲେ ଏହି ଶାନ୍ତିନଗରରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏଠାକାର ଲୋକେ ପ୍ରତେକ ଦିନ 2 କିମି ପାଦ ଚଲାରେ ଯାଇ ପାରଳା ମୁନିସିପାଲିଟିର 2 ନଂ ୱାର୍ଡରୁ ପିଇବା ପାଣି ଆଣୁଛନ୍ତି. ଶାନ୍ତିନଗରର ଜନବସତିର ବାସିନ୍ଦା ସନ୍ତୋଷ ଦାସ, ମାଧବ ପଣ୍ଡା, ମୋହନ ବିଶ୍ୱାଳ, ବୈରାଗୀ ପ୍ରଧାନ, ତ୍ରିନାଥ ଜେନା ପ୍ରମୁଖ କହିଛନ୍ତି ଶାନ୍ତିନଗରରେ ଷ୍ଟାଣ୍ଡପୋଷ୍ଟ ରହିଛି. କିନ୍ତୁ ଜଳ ଯୋଗାଣ ହୋଇନାହିଁ. ତେଣୁ ଷ୍ଟାଣ୍ଡପୋଷ୍ଟ ଥାଇ ମଧ୍ୟ ପିଇବା ପାଣି ମିଳୁନାହିଁ. ଏଠାରେ ଦୁଇଟି ନଳକୂପ ରହିଥିଲା. ସେଗୁଡିକ ମଧ୍ୟ ଅଚଳ ହୋଇଯିବାରୁ ଏଥିରୁ ପାଣି ବାହାରୁ ନାହିଁ. ଶାନ୍ତିନଗରରେ 400 ରୁ ଉର୍ଦ୍ଧ ପରିବାରର 1500 ରୁ ଉର୍ଦ୍ଧ ଲୋକ ବସବାସ କରୁଛୁ. ଆମ୍ଭମାନଙ୍କ ଗାଧେଇବା ଓ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ମଧ୍ୟ ପାଣିର ଘୋର ଅଭାବ ରହିଛି. ହେଲେ ପିଇବା ପାଣି ପାଇଁ ଡହଳବିକଳ ହୋଇ 2 କିମି ରାସ୍ତା ପାଦ ଚଲାରେ ଯିବାକୁ ପଡୁଛି. ବର୍ତ୍ତମାନର ପ୍ରଚଣ୍ଡ ଖରା ରୌଦ୍ରତାପରେ 2 କିମି ପାଦ ଚଲାରେ ଯାଇ ପିଇବା ପାଣି ଆଣିବା ବହୁ କଷ୍ଟ ସାଧ୍ୟ୍ୟ ହୋଇପଡିଛି. ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି ଜଣାଇଛନ୍ତି. ସମ୍ପୃକ୍ତ ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ବେହେରାଙ୍କ ଦୃଷ୍ଟି ଆକାଷଣ କରିବାରେ ସେ କହିଥିଲେ ଘଟଣା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ