ମରୁଆ ଗ୍ରାମରୁ ହରିଣ ଉଦ୍ଧାର
ହାଟଡିହି (ଓ୍ବାଇଏନଏସ): ଦୁଇଦିନର କସରତ ପରେ ମରୁଆ ଗ୍ରାମରୁ ଉଦ୍ଧାର ହୋଇଛି ହରିଣ। ଗ୍ରାମବାସୀ ମାନେ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସୂଚନାରୁ ଜଣା ଯାଇଛି ଯେ ଗତକାଲି ସନ୍ଧ୍ୟାରେ ସରମଙ୍ଗା ଗ୍ରାମ ନିକଟରେ ଏକ ହରିଣ ବୁଲୁ ଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ହଦଗଡ଼ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ହରିଣଟିକୁ ଧରିବାକୁ ଉଦ୍ୟମ କରିଥିଲେ। ମାତ୍ର ହରିଣଟି ସରମଙ୍ଗାର ଘଞ୍ଚ ପଳାଶ ବଣ ଭିତରେ ଲୁଚି ଯିବାରୁ ଆଉ ତାକୁ ଠାବ କରିବା ବନ ବିଭାଗ ପକ୍ଷରେ ସମ୍ଭବ ହୋଇ ନଥିଲା। ଆଜି ବନ ବିଭାଗ କର୍ମଚାରୀ ମାନେ ସରମଙ୍ଗାରେ ଖୋଜାଖୋଜି କରୁଥିବା ବେଳେ ହରିଣଟି ମରୁଆ ନିକଟରେ ବୁଲୁଥିବା ବେଳେ ଗ୍ରାମବାସୀ ଧରିବାକୁ ଉଦ୍ୟମ କରିବାରୁ ହରିଣଟି ଏକ ପୋଖରୀ ଭିତରେ ପଶିଯାଇଥିଲା। ଗ୍ରାମବାସୀ ମାନେ ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବିଶେଷ କରି ହଦଗଡ଼ ବନାଞ୍ଚଳରେ ଏବେ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବାରୁ ହରିଣ ଟି ଜନବସତି ଅଞ୍ଚଳକୁ ପଳାଇ ଆସିଥିବା କୁହା ଯାଉଛି। ବନ ବିଭାଗ ହରିଣଟିକୁ ନେଇ ହଦଗଡ଼ ଅଭୟରଣ୍ୟର ପିତାନାଉ ଜଙ୍ଗଲରେ ଛାଡ଼ିଥିବା ହଦଗଡ଼ ରେଞ୍ଜର ମାର୍ସଲ କିସ୍କୁ ଓ ବନପାଳ ମଳୟ କୁମାର ସାହୁ ସୂଚନା ଦେଇଛନ୍ତି।


