ଛେନାପଦି-ଟୁକୁଣା କେନାଲ ରାସ୍ତା ବିପର୍ଯ୍ୟସ୍ତ, ଦୁଇ କୋଟି ପାଣିରେ ପଡିଲା

ହାଟଡ଼ିହି , (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ବିଦ୍ୟାଧରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ  ଛେନାପଦି ସେକ୍ସନର ଜିରୋ ପଏଣ୍ଟଠାରୁ ଟୁକୁଣା ଯାଏଁ ଲମ୍ବିଥିବା କେନାଲ ରାସ୍ତାଟି ଗତ ୨ ବର୍ଷ ତଳେ ନିର୍ମାଣ କରାଯାଇଥିବା ବେଳେ ତାହା ଏବେ ବିପର୍ଯ୍ୟସ୍ଥ ହୋଇ ପଡିଛି। ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତା ଅବସ୍ଥା ଦିନ କେଇଟା ଭିତରେ ବେହାଲ୍ ହୋଇ ପଡିବା ଜଳସମ୍ପଦ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାରୁ ଜଣା ଯାଇଛି ଯେ ଏହି କେନାଲ ରାସ୍ତାଟି ଉପରେ ତିନି ଚାରୋଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବା ବେଳେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କ ଦାବି ପରେ ଜଳ ସେଚନ ବିଭାଗ ପକ୍ଷରୁ କାପେକ୍ସ ଯୋଜନାରେ ଦୁଇ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇ ୨୦୨୩ ମସିହାରେ ରାସ୍ତାର ଉନ୍ନତିକରଣ  କାର୍ଯ୍ୟ ଆରମ୍ଭ କରାଯାଇଥିଲା। କାମ କରୁଥିବା ଠିକା ସଂସ୍ଥା ନିର୍ଦ୍ଧାରିତ ସମୟରେ କାମ ନକରି ଗତ ବର୍ଷ ଏହି କାମକୁ ଯେନ ତେନ ପ୍ରକାର କାମ ସାରିଥିଲା। ମେଣ୍ଟାଲ ଓ ମୋରମ ପକାଇ କାର୍ଯ୍ୟ କରିବାର ଥିବାବେଳେ ଠିକା ସଂସ୍ଥା ଅତି ନିମ୍ନ ମାନର କାମ କରିବା ସହ ଅନେକ ସ୍ଥାନରେ ମୋରମ ବଦଳରେ ନାଲି ମାଟି ପକାଇ କାମ ସାରିଦେଲା। ବିଭାଗୀୟ ଯନ୍ତ୍ରୀମାନେ ମଧ୍ୟ ଉପଯୁକ୍ତ ତଦାରଖ କଲେ ନାହିଁ। ଫଳରେ ରାସ୍ତାଟି ଏବେ ଯଥା ପୂର୍ବ ତଥା ପର ହୋଇଗଲା। ସାଧାରଣ ଲୋକଟିଏ ସାଇକେଲ ଟିଏ ନେଇ  ଯାଇ ପାରୁ ନଥିବା ବେଳେ ବାଇକ୍ ଆରୋହୀଙ୍କୁ ଗମନାଗମନ କରିବାରେ ନାନା ଅସୁବିଧା ଭୋଗିବାକୁ ପଡୁଛି।  ରାସ୍ତାର ବିଭିନ୍ନ ସ୍ଥାନ ଖାଲଖମା ସୃଷ୍ଟି ହୋଇଥିବା ବେଳେ  ରାସ୍ତାରୁ ମେଟାଲ ଉଠିଯିବାରୁ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସୃଷ୍ଟି କରୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ପୁନଃ ମରାମତି କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅତ୍ୟଧିକ ଟ୍ରାକ୍ଟର ଚଳାଚଳ ଯୋଗୁଁ ଏପରି ହୋଇଛି, ପୁନଃ ଅନୁଦାନ ଆସିଲେ ଯାହା ହେବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ