ଉପକାରାଗାରରେ ସୁଦର୍ଶନ କ୍ରିୟା ଶିବିର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଉପକାରାଗାର ପରିସରରେ ଅନ୍ତେବାସୀମାନଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଏକ ସୁଦର୍ଶନ କ୍ରିୟା ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀମାନଙ୍କ ଜୀବନରେ ସକାରାତ୍ମକ ମନୋଭାବ, ଆତ୍ମନିୟନ୍ତ୍ରଣ ଓ ମନରେଶାନ୍ତି ଆଣିବା ଦିଗରେ ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଯୋଗଗୁରୁ ଦୀପକ ମୁନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଯୋଗ, ପ୍ରାଣାୟାମ ଓ ସୁଦର୍ଶନ କ୍ରିୟା ମାଧ୍ୟମରେ ଅନ୍ତେବାସୀମାନଙ୍କୁ ମନୋସଂଯମ, ଶାରୀରିକ ସୁସ୍ଥତା ଓ ଆତ୍ମବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା। କାରାଗାର ଭିତରେ ଏଭଳି ଗଠନମୂଳକ କାର୍ଯ୍ୟକ୍ରମ ଅନ୍ତେବାସୀମାନଙ୍କ ଚେତନାରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ଆଶା କାରାଯାଏ। ଜିଲ୍ଲପାଳ ରଘୁରାମ ଆର. ଆୟରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଅଜୟ କୁମାର ରାଉତଙ୍କ ଦ୍ୱାରା ପଣ୍ଡିତ ଶ୍ରୀ ରବିଶଙ୍କରଙ୍କ ସୁଦର୍ଶନ କ୍ରିୟା, ଯୋଗ ଓ ପ୍ରାଣାୟାମ ଇତ୍ୟାଦି କରାଯାଇଥିଲା। ଏହି ଅବସରରେ ଜେଲ ଅଧୀକ୍ଷକ ସୁନୀଲ କୁମାର ପାତ୍ର , ସହକାରୀ ଅଧୀକ୍ଷକ ବିଭେନ୍ଦୁ ଭୁୟାଁ, ଉପ ସହକାରୀ ଅଧୀକ୍ଷକ ସୁକାନ୍ତ କୁମାର ରାଉତ, ଜମାଦାର ଆଜିଜୁଲ ମହମ୍ମଦ, କାରାରକ୍ଷୀ ଅରୁଣ କୁମାର ପ୍ରଧାନ, ବାଣୀପଦ ସ୍ୱାଇଁ ଓ ଲିପୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ। ଏହା ପୂର୍ବରୁ ମଧ୍ୟ ଗତ ଡିସେମ୍ବର ମାସରେ ପାଞ୍ଚ ଦିନ ଧରି ସୁଦର୍ଶନ କ୍ରିୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ତେବାସୀମାନେ ସମାଜର ମୁଖ୍ୟ ସ୍ରୋତରେ ପୁନର୍ବାର ସାମିଲ ହୋଇ ସମ୍ମାନଜନକ ଜୀବନଯାପନ କିପରି କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଏପରି ସଂସ୍କାରମୂଳକ ଓ ପ୍ରେରଣାଦାୟକ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜେଲ ଅଧୀକ୍ଷକ କହିଛନ୍ତି। ଅନ୍ତେବାସୀ ମାନଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ସକାରାତ୍ମକ ଚିନ୍ତାଧାରା ଓ ସମାଜମୁଖୀ ଭାବନାର ବିକାଶ ଘଟାଇବାରେ ଏପରି କାର୍ଯ୍ୟକ୍ରମ ସଫଳ ସାବ୍ୟସ୍ତ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ