ଦାଉ ସାଜିଲା କାଳ ବୈଶାଖୀ ବର୍ଷା, ମଣ୍ଡିରେ ଓଦା ହେଲା ଧାନ ବସ୍ତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ରାତିରେ ବନ୍ତ ବ୍ଲକରେ କାଳ ବୈଶାଖୀ ବର୍ଷା ଦାଉ ସାଜିଛି । ଫଳରେ ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନ ବସ୍ତା ଗୁଡିକ ପାଣିରେ ଓଦା ହୋଇ ନଷ୍ଟ ହୋଇଥିବା ଦେଖାଯାଇଛି । ପ୍ରକାଶ ଯେ, ଚଳିତ ଖରିଫ ଋତୁ ପାଇଁ ବନ୍ତ ବ୍ଲକର ବିିଭିନ୍ନ ମଣ୍ଡିରେ ଜାନୁଆରୀ ୩ୟ ସପ୍ତାହ ଠାରୁ ଧାନ କିଣା ଆରମ୍ଭ ହୋଇଥିଲା । ଏହି ଧାନ କିଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏବେ ବିଭିନ୍ନ ମଣ୍ଡିରେ ଚାଷୀ ମାନେ ଧାନ ବିକ୍ରୟ ପାଇଁ ଧାନ ପକାଇଛନ୍ତି । ମାତ୍ର ଆବଶ୍ୟକ ଟାର୍ଗେଟ ଆସିବାରେ ବିଳମ୍ବ ହେଉଥିବା ଯୋଗୁ ଧାନ କିଣାରେ ବିଳମ୍ବ ହେଉଛି । ଫଳରେ ମଣ୍ଡିରେ ଚାଷୀଙ୍କର ଶହ ଶହ କୁଇଁଣ୍ଟାଲ ଧାନ ବିକ୍ରି ହୋଇ ନପାରି ପଡି ରହିଛି । ଏପରିପେକ୍ଷୀରେ ଶୁକ୍ରବାର ରାତିରେ କାଳ ବୈଶାଖୀ ବର୍ଷା ଯୋଗୁ ଖୋଲା ଆକାଶ ତଳେ ପଡି ରହିଥିବା ଧାନ ବସ୍ତା ଗୁଡିକ ଓଦା ହୋଇ ନଷ୍ଟ ହୋଇଥିବା ଦେଖାଯାଇଛି । ଏପରି ଏକ ନଜିର ଦେଖିବାକୁ ମିଳିଛି ପଧାନପଡା ସେବା ସମବାୟ ସମିତି ମଣ୍ଡିରେ । ପଧାନପଡା ଗ୍ରାମର ଚାଷୀ ସନୋଜ କୁମାର ସାହୁ ଗତ ସପ୍ତାହରେ ମଣ୍ଡିକୁ ୮୫ କୁଇଁଣ୍ଟାଲ ଧାନ ବିକ୍ରୟ ପାଇଁ ଆଣିଥିଲେ । ଉକ୍ତ ଧାନ ବସ୍ତା ଗୁଡିକୁ ପଲିଥିନ ପାଲ ଘୋଡାଇ ରଖିଥିବା ବେଳେ ଶୁକ୍ରବାର ବର୍ଷା ହେବା ଯୋଗୁ ପ୍ରାୟ ୧୫ କୁଇଁଣ୍ଟାଲ ଧାନ ଓଦା ହୋଇ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି ଏହି ମଣ୍ଡିରେ ଅନ୍ୟ କେତେକ ଚାଷୀଙ୍କର ମଧ୍ୟ ଧାନ ବର୍ଷାରେ ଓଦା ହୋଇଯାଇଥିବା ଜଣାଯାଇଛି । ଜିଲା ପ୍ରଶାସନ ମଣ୍ଡିରେ ପଡି ରହିଥିବା ଧାନ ଗୁଡିକୁ କିପରି ସୁରକ୍ଷିତ ଭାବରେ ରହି ପାରିବ ଏବଂ ସେଗୁଡିକୁ ତୁରନ୍ତ କିଣା ଯିବା ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ