ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍: ପ୍ରଥମ ଦିନରେ ୨୫ ହଜାର ଜରିମାନା ଆଦାୟ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସ୍ୱତନ୍ତ୍ର ଗାଡି ମଟର ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ପ୍ରଥମେ କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସେଠାରେ ଓଆର-୦୫-ଏଏମ- ୭୫୨୯ନମ୍ବର ରାଜଭଟ ପ୍ରାଇଭେଟ ବସ୍ର ଫିଟନେସ ନଥିବାରୁ ୧୧ହଜାର ଟଙ୍କା ଜୋରିମାନା କରାଯାଇଥିଲା। ପରେ ରାଉତରାୟ ବସକୁ ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ ଯାତ୍ରୀ ପରିବହନ ପାଇଁ ୪ହଜାର ୨ଶହ ଟଙ୍କା ଓ ଟ୍ୟୁଙ୍କିଲ ବସ ଠାରୁ ଫେୟାର ଚାର୍ଟ ନଥିବାରୁ ୫ହଜାର ଟଙ୍କା ଜୋରିମାନା କରାଯାଇଥିଲା। ସେହିଭଳି ଦୁହୁରିଆ ସମେତ ଶ୍ୟାମସୁନ୍ଦରପୁର ଗଡା ନିକଟ ୫୩ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଯାଞ୍ଚ କରାଯାଇ ଅତ୍ୟଧିକ ଗତିରେ ଯାଉଥିବା ୨୮ଟି ଗାଡି, ବିନା ହେଲମେଟରେ ଗାଡି ଚଲାଉଥିବା ୨୫ଟି ଦୁଇଚକିଆ ଗାଡି, ଭୁଲ ପାଶ୍ୱର୍ରେ ଗାଡି ଚାଳନା କରୁଥିବା ୪ଟି ଗାଡି, ୪ଟି ମାଲ ପରିବହନ ଯାନ, ୩ଟି ଯାତ୍ରୀ ପରିବହନ ଯାନରେ ଓଭରଲୋଡିଂ, ୫ଟି ମାଲ ପରିବହନ ଯାନରେ ଯାତ୍ରୀ ପରିବହନ, ୮ଟି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡିଚାଳନା,ଉପଯୁକ୍ତ ଶ୍ରେଣୀ ଲାଇସେନ୍ସ, ଅନୁମୋଦନ ବିନା ଗାଡି ଚାଳନା, ୮ଟି ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ବସିଥିବା ୮ଟି ଗାଡିଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଘଟଣାରେ ଜୋରିମାନା କରାଯାଇଛି। ଏଥିସହିତ ୫ଟି ଗାଡିକୁ ଜବତ କରାଯାଇଛି। ୫୬(୪) ମୋଟର ଭେଇକିଲ ଆଇନ ଅନୁଯାୟୀ ୨ଟି ଗାଡିର ଫିଟନେସ ସାର୍ଟିଫିକେଟ ବାତିଲ କରାଯାଇଛି। ୬ଜଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ନିଲମ୍ବନ କରାଯାଇଥିବା ବେଳେ ମୋଟ ୨୫ହଜାର ୬୫୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର ସୂଚନା ଦେଇଛନ୍ତି। ଏହି ସ୍ୱତନ୍ତ୍ର ଅଭିଯାନରେ ପରିବହନ ବିଭାଗ କେନ୍ଦ୍ରୀୟ ଜୋନର ଉପଆୟୁକ୍ତ ରଶ୍ମୀରଞ୍ଜିତ ଦଳବେହେରାଙ୍କ ସମେତ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।


