ବାଲି ବୋଝେଇ ହାଇୱା ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ୮ଟି ଗ୍ରାମ ଅନ୍ଧାରରେ
ହାଟଡିହି (ଓ୍ବାଇଏନଏସ): ଗତକାଲି ରାତିରେ ଏକ ବାଲି ବୋଝେଇ ହାଇୱା ମଟରାଗଡିଆ ଗାଁରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାଙ୍ଗିଦେବାରୁ ଏକ ସଙ୍ଗେ ୬ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା ଦ୍ୱାରା ୮ଟି ଗ୍ରାମ ଅନ୍ଧାରରେ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଧରମପୁର ଗ୍ରାମର ଜଣେ ବ୍ୟକ୍ତି ନିଜ ଘରକୁ ଏକ ହାଇୱା ଯୋଗେ ବାଲି ଆଣୁଥିଲେ। ଗାଡିଟି ଗାଁ ଭିତରେ ଯିବାବେଳେ ଏକ ବିଦ୍ୟୁତ ଖୁଣ୍ଟରେ ବାଜିଯିବାରୁ ବିଦ୍ୟୁତ ଖୁଣ୍ଟ ଟି ଭାଙ୍ଗି ଯିବାସହ ଆଉ ୬ଟି ଖୁଣ୍ଟାକୁ ଭାଙ୍ଗି ଦେଇଥିଲା। ଫଳରେ ମଟରାଗଡିଆ, ଧରମ ପୁର, ମିଠିଗାଁ, ନାହା, ବାରିଗାଁ ସମେତ ସମଗ୍ର ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ଯାଇଥିଲା। ଯାହାକୁ ନେଇ ଉପଭୋକ୍ତା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ସକାଳୁ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ପହଞ୍ଚି ବିଦ୍ୟୁତ ଖୁଣ୍ଟ ଗୁଡିକୁ ମରାମତି କରିଛନ୍ତି। ଏହି ବାଲି ଗାଡିଦ୍ୱାରା ଗାଁ ରାସ୍ତାର ଏକ ଦୁର୍ବଳ ପୋଲ ମଧ୍ୟ ଭାଙ୍ଗି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


