ବିଶ୍ୱ ଯକ୍ଷ୍ମା ଦିବସ

ଆସିକା (ୱାଇଏନ୍‍ଏସ୍‍):  ଆଜି ବିଶ୍ୱ ଯକ୍ଷ୍ମା ଦିବସ । ୧୯୯୭ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ପ୍ରତିବର୍ଷ ମାର୍ଚ୍ଚ ମାସ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଯକ୍ଷ୍ମା ବିଭାଗର ବରିଷ୍ଠ ଚିକିତ୍ସା ପରିଦର୍ଶିକା ସଙ୍ଗୀତାରାଣୀ ସ୍ୱାଇଁ ସୂଚନା ପ୍ରଦାନ କରି କହିଛନ୍ତି ଟ୍ୟୁବର୍‍ କ୍ୟୁରୋସିସ୍‍ (ଟିବି) ବା ଯକ୍ଷ୍ମା ହେଉଛି ସଂକ୍ରମିତ ରୋଗ । କାଶ ଓ କଫରୁ ଏହା ସଂକ୍ରମିତ ହୁଏ । ଟିବି ବା ଯକ୍ଷ୍ମା ଦୁଇ ପ୍ରକାର ହୋଇଥିବା ବେଳେ ଏହାର ପ୍ରଭାବ ପୁରା ଶରୀର ଉପରେ ପଡିଥାଏ । ସାଧାରଣତଃ ଏହି ରୋଗ ମନୁଷ୍ୟ ଶରୀରର ଫୁସ୍‍ଫୁସକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । ତେଣୁ ବହୁ ଦିନ ଯାଏଁ ଶରୀରରେ କାଶ କଫ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରି ଯଦି ଯକ୍ଷ୍ମା ଚିହ୍ନଟ ହୁଏ ତେବେ ନିୟମିତ ଔଷଧ ସେବନ ଓ ସଚେତନତା ମାଧ୍ୟମରେ ଦୂରାରୋଗ୍ୟ ଯକ୍ଷ୍ମାରୁ ଆରୋଗ୍ୟ ନିଶ୍ଚିତ ଭାବେ ସମ୍ଭବ ହୋଇଥାଏ । ଅତୀତରେ ଯକ୍ଷ୍ମା ରୋଗ ଏକ ଦୂରାରୋଗ୍ୟ ରୋଗ ଥିଲା । ଯାହାକୁ ଥରେ ଯକ୍ଷ୍ମା ହେଉଥିଲା ସେ ନିଜ ଜୀବନର ସାୟାହ୍ନ ପର୍ଯ୍ୟନ୍ତ ଯକ୍ଷ୍ମାରୋଗରେ ଜଡିତ ରହୁଥିଲା ଏବଂ ନିୟମିତ ଔଷଧ ଖାଇବାରେ ଅବହେଳା କରି ଶେଷରେ ଅମୂଲ୍ୟ ଜୀବନ ହରାଉଥିଲା । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଯକ୍ଷ୍ମା ରୋଗ ଆଉ ଦୂରାରୋଗ୍ୟ ନୁହ୍ୟେ ଏବଂ ଯକ୍ଷ୍ମାରୁ ରୋଗରୁ ସୁସ୍ଥ ହେବା ପାଇଁ ଉନ୍ନତ ମାନର ସ୍ୱାସ୍ଥ୍ୟ ଉପଯୋଗୀ ବାହାରି ସାରିଲାଣି ଓ ଯେଉଁ ଯକ୍ଷ୍ମା ବା ଟିବି ରୋଗୀ ନିୟମିତ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଉଛନ୍ତି ସେମାନେ ନିଶ୍ଚିତ ଭାବେ ସୁସ୍ଥ ହେଉଛନ୍ତି । ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଗତ ୨୦୨୫ ମସିହା ଜାନୁୟାରୀ ମାସରୁ ଚଳିତ ୨୦୨୬ ମସିହା ମାର୍ଚ୍ଚ ମାସ ୨୩ ତାରିଖ ସୁଦ୍ଧା ୩୨୮ ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇ ସୁସ୍ଥତା ପାଇଁ ଔଷଧ ପ୍ରଦାନ କରାଯାଉଥିଲା ବେଳେ ଏହି ରୋଗର ଭୟାବହତା ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରି ଏଥିରୁ ଦୂରେଇ ରହିବା ପାଇଁ କାରଣ ଓ ନିରାକରଣ ସଂପର୍କରେ ଅବଗତ କରିବା ସାଙ୍ଗକୁ ଅଧିକରୁ ଅଧିକ ଯକ୍ଷ୍ମୀ ରୋଗୀଙ୍କୁ ଚିହ୍ନଟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ଲାଗି ଆସନ୍ତାକାଲି ଆସିକା ମେଡିକାଲ ସମ୍ମାନିତ ହେବ ବୋଲି ଜଣାପଡିଛି । ୧୮୮୨ ମସିହା ମାର୍ଚ୍ଚ ମାସ ୨୪ ତାରିଖରେ ଜର୍ମାନ୍‍ ଚିକିତ୍ସକ ଡାକ୍ତର ରବର୍ଟ ହେନେରିକ୍‍ ହର୍ମାନ୍‍କୋସ୍‍ ଯକ୍ଷ୍ମାର କାରଣ ଆବିଷ୍କାର କରିବା ସହ ଯକ୍ଷ୍ମାର ଜୀବାଣୁକୁ ଚିହ୍ମଟ କରିବାରେ ସକ୍ଷମ ହୋଇପାରିଥିଲେ । ଡାକ୍ତର କୋସ୍‍ଙ୍କ ଆବିଷ୍କାର ଫଳରେ ଏହି ଘାତକ ବ୍ୟାଧିକୁ ଅତୀତରେ ବିଶ୍ୱର କେତେକ ଅଞ୍ଚଳରେ ରୋକାଯାଇପାରିଥିଲା । ଏହି ରୋଗ ବାବଦରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଇଆସୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଯକ୍ଷ୍ମା ବିଭାଗର ବରିଷ୍ଠ ଚିକିତ୍ସା ପରିଦର୍ଶିକା ସଙ୍ଗୀତାରାଣୀ ସ୍ୱାଇଁ ଏବଂ ଚିକିତ୍ସାଳୟ ପରିଚାଳକ ବିଶ୍ୱଜିତ୍‍ ପ୍ରଧାନ ଓ ଆସିକା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଦୀପକ କୁମାର ରାଉତଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଯକ୍ଷ୍ମାରୋଗର କାରଣ ଓ ନିରାକରଣ ସଂପର୍କରେ ବିଭିନ୍ନ ସମୟରେ ଜନସାଧାରଣଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ