ତହସିଲରୁ ପଲଥିନ ଚୋରି ଘଟଣା :ଆଜି ତହସିଲଦାରଙ୍କୁ ରିପୋର୍ଟ ଦେବ ଟିମ୍
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ କାର୍ଯ୍ୟାଳୟର ଷ୍ଟୋର ରୁମ୍ରୁ ୧୫୫ ବଣ୍ଡଲ ପଲିଥିନ ଚୋରି ହେବା ଘଟଣାରେ ଗଠନ ହୋଇଥିବା ତଦନ୍ତକାରୀ ଟିମ ଆଜି ବୁଧବାର ତହସିଲଦାରଙ୍କୁ ରିପୋର୍ଟ ଦେବ l ତହସିଲଦାର ସଞ୍ଜୟ ସାମନ୍ତରାୟ ଏ ନେଇ ସୂଚନା ଦେଇଛନ୍ତି l ଅପର ପକ୍ଷେ ଏହି ଘଟଣାକୁ ନେଇ ନନ୍ଦିପଦା ଥାନାରେ ଦାୟର ହୋଇଥିବା ମାମଲାର ତଦନ୍ତକାରୀ ଅଧିକାରୀ ପ୍ରବୋଧ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ତହସିଲର ୱାଚ ମ୍ୟାନ ଏବଂ ନାଜିର ରାଜୀବ ଲୋଚନ ସାହୁଙ୍କୁ ପ୍ରାଥମିକ ଭାବେ ପଚରାଉଚରା କରାଯାଇଛି l ଉଭୟଙ୍କ ବୟାନରେ ତାଳ ମେଳ ରହୁନି l ଯାହାକି ସନ୍ଦେହ ଜନକ ଅଟେ l ଆହୁରି ପଚରାଉଚରା ବାକି ଅଛି l ସୂଚନା ଯୋଗ୍ୟ,ଗତ ଅକ୍ଟୋବର ମାସ ୨୬ ତାରିଖ ସୋମବାର ୧୫୫ଟି ବଡ଼ ବଡ଼ ପଲଥିନ ବଣ୍ଡଲ ଚୋରି ହୋଇଥିଲା l ଘଟଣାର ଦୁଇ ଦିନ ପରେ ୨୮ ତାରିଖ ବୁଧବାର ରାତି ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲା l ପୋଲିସ ମାମଲା ନଂ ୩୯୨/୨୦୨୬ ପଞ୍ଜିକରଣ କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିବା ବେଳେ କେନ୍ଦୁଝର ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରିଥିଲା l ଏପରିକି ଘଟଣାର ଦୁଇ ଦିନ ପରେ ଥାନାରେ ଲିଖିତ ଅଭିଯୋଗ ହେବା ଏବଂ ତହସିଲଦାରଙ୍କୁ ଜଣାଇବା ସନ୍ଦେହ ସୃଷ୍ଟି କରିଥିଲା l ଏଥିସହ ଷ୍ଟୋର ରୁମ ଏବଂ ତହସିଲର ଗେଟ ତାଲା ସୁରକ୍ଷିତ ଥିବା ବେଳେ ଏତେ ସଂଖ୍ୟକ ପଲଥିନ ବଣ୍ଡଲ ଚୋରି ହେବା ଘଟଣାର ସତ୍ୟତା ଉପରେ ପ୍ରଶ୍ନ ଉଠିଥିଲା l ପରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ତହସିଲଦାର ସାମନ୍ତରାୟଙ୍କ ନିର୍ଦ୍ଦେଶରେ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଥିଲା l


