୪୦ କୋଟିର ପାଠାଗାର, ଉଦ୍‌ଘାଟନ ପରେ ବି ଝୁଲୁଛି ତାଲା

କଟକ, (ଓ୍ବାଇଏନଏସ): କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ, ଆଧୁନିକ ସୁବିଧାର ପ୍ରତିଶ୍ରୁତି ଏବଂ ଆଡ଼ମ୍ବରପୂର୍ଣ୍ଣ ଉଦ୍‌ଘାଟନ। ହେଲେ ଏତେସବୁ ପରେ ବି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିପାରୁନି ପାଠାଗାରର ଦ୍ୱାର। ଫଳରେ ଜନସାଧାରଣଙ୍କ ଟିକସ ଅର୍ଥରେ ନିର୍ମିତ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଭିତ୍ତିକ ପ୍ରକଳ୍ପ ଏବେ ଅବ୍ୟବହୃତ ହୋଇ ପଡ଼ିରହିଛି। ଏହା ହେଉଛି କଟକ ବାଦାମବାଡ଼ିସ୍ଥିତ ଅନୁଗୁଳ-ପୁରୀ ବସ୍‌ଷ୍ଟାଣ୍ଡ ପରିସରରେ ୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ସର୍ବବୃହତ୍‌ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଓ ଗବେଷଣା କେନ୍ଦ୍ର।ଗତ ଜୁଲାଇ ୧୪ ତାରିଖରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପାଠାଗାରର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ସମୟରେ ଏହାକୁ ଛାତ୍ରଛାତ୍ରୀ, ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ଓ ଗବେଷକଙ୍କ ପାଇଁ ଏକ ଉତ୍କୃଷ୍ଟ ଅଧ୍ୟୟନ କେନ୍ଦ୍ର ଭାବେ ଦେଖାଯାଇଥିଲା। କିନ୍ତୁ ଉଦ୍‌ଘାଟନର ତିନି ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପାଠାଗାରଟି ସାଧାରଣ ବ୍ୟବହାର ପାଇଁ ଖୋଲାଯାଇନାହିଁ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ ପାଠାଗାରରେ ଏକକାଳୀନ ୧୭୦୦ରୁ ଅଧିକ ଛାତ୍ରଛାତ୍ରୀ ବସି ଅଧ୍ୟୟନ କରିବାର ସୁବିଧା ରହିଛି। ପ୍ରଶାସନିକ ସେବା, ବ୍ୟାଙ୍କିଂ, ରେଳବାଇ ସମେତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଏହା ଛାତ୍ରଛାତ୍ରୀଙ୍କୁ ଏକ ଉନ୍ନତ ପରିବେଶ ଯୋଗାଇଦେଇପାରିଥାନ୍ତା। ବିଶେଷକରି ଆର୍ଥିକ ଅନଟନ ଯୋଗୁଁ ଘରେ ଉପଯୁକ୍ତ ପଢ଼ିବା ପରିବେଶ ପାଇପାରୁନଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ୍‌ ସହାୟକ ହୋଇଥାନ୍ତା। କିନ୍ତୁ ପାଠାଗାର ଖୋଲିବାରେ ବିଳମ୍ବ ଯୋଗୁଁ ଏହି ସୁଯୋଗରୁ ସେମାନେ ବଞ୍ଚିତ ହେଉଛନ୍ତି। ପ୍ରଶ୍ନ ଉଠୁଛି, ଯେତେବେଳେ ପାଠାଗାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ଉଦ୍‌ଘାଟନ କରାଗଲା, ସେତେବେଳେ ଏହାର ପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତୁତି କାହିଁକି ଶେଷ ହୋଇନଥିଲା? ପାଠାଗାର ପାଇଁ କର୍ମଚାରୀ ନିଯୁକ୍ତି, ପୁସ୍ତକ ସଂଗ୍ରହ, ପରିଚାଳନା ବ୍ୟବସ୍ଥା, ପାଠକଙ୍କ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କାହିଁକି ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରାଗଲା ନାହିଁ? ଏହି ସବୁ ପ୍ରସଙ୍ଗ ଏବେ ପ୍ରଶାସନିକ ପ୍ରସ୍ତୁତି ଓ ଦୂରଦୃଷ୍ଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ କୋଠା ନିର୍ମାଣ ଓ ଉଦ୍‌ଘାଟନ କରିଦେଲେ କୌଣସି ଜନହିତକର ପ୍ରକଳ୍ପର ଉଦ୍ଦେଶ୍ୟ ସାଧିତ ହୁଏନାହିଁ। ଏହାର ସଠିକ୍‌ ପରିଚାଳନା ଓ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧତା ହିଁ ପ୍ରକଳ୍ପର ସଫଳତାର ପ୍ରକୃତ ମାପକାଠି। ତେଣୁ ୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପାଠାଗାର ଯଦି ଛାତ୍ରଛାତ୍ରୀଙ୍କ କାମରେ ନ ଆସେ, ତେବେ ଏତେ ବିପୁଳ ଅର୍ଥ ବ୍ୟୟର ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ଏବେ ସମସ୍ତଙ୍କ ନଜର ନଗର ଉନ୍ନୟନ ବିଭାଗ ଓ ସମ୍ପୃକ୍ତ ପ୍ରଶାସନ ଉପରେ। ପାଠାଗାର ଖୋଲିବାରେ ପ୍ରକୃତ ବାଧା କେଉଁଠି? ଏଥିପାଇଁ କିଏ ଦାୟୀ? ଆଉ କେତେଦିନ ଏହା ବନ୍ଦ ରହିବ? ପ୍ରଶାସନ କେବେ ଏହାର ଉତ୍ତର ରଖିବ ଏବଂ ଛାତ୍ରଛାତ୍ରୀ କେବେଠାରୁ ଏହାର ସୁବିଧା ପାଇବେ? ଏହି ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଉତ୍ତର ସହ ତୁରନ୍ତ ପାଠାଗାର ଖୋଲିବାକୁ ଦାବି ଜୋର୍‌ ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ