ପାଣି ପଶିଥିବା ସ୍କୁଲ ପରିସରକୁ ନିଜେ ସଫା କଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ ଓ ପୁରାତନ ଛାତ୍ର

ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଜଳମଗ୍ନ ହୋଇପଡ଼ିଥିଲା। ବନ୍ୟାଜଳ ହ୍ରାସ ପରେ ବିଦ୍ୟାଳୟ ପରିସର ଓ ଶ୍ରେଣୀଗୃହରେ ପଙ୍କ, କାଦୁଅ ଓ ଅଳିଆ ଆବର୍ଜନା ଜମି ରହିଥିଲା। ଦୀର୍ଘ ଛୁଟି ପରେ ବୁଧବାର ବିଦ୍ୟାଳୟ ଖୋଲିବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ଆଜି ବିଭିନ୍ନ ବିଦ୍ୟାଳୟରେ ସଫେଇ କାର୍ଯ୍ୟ କରାଯାଇଛି। ଏହି କ୍ରମରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ପଞ୍ଚାୟତର ଧୀରେଶ୍ୱର ବିଦ୍ୟାପୀଠରେ ବ୍ଲକ ଅଧ୍ୟକ୍ଷା ସାଡ଼ି ଶାରଦା ରେଡ୍ଡୀ, ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ପ୍ରଧାନଶିକ୍ଷକ ରାଜକିଶୋର ପାଣିଗ୍ରାହୀ, ପୂର୍ବତନ ଛାତ୍ର ଅଜିତ ସ୍ୱାଇଁଙ୍କ ସମେତ ଅନ୍ୟ ଶିକ୍ଷକ ଓ ପୁରାତନ ଛାତ୍ରମାନେ ନିଜେ ହାତରେ ଝାଡୁ ଓ ସଫେଇ ସାମଗ୍ରୀ ଧରି ପରିସର ସଫା କରିଥିଲେ। ଋଷିକୁଲ୍ୟା ନଦୀ ନିକଟରେ ଅବସ୍ଥିତ ଏହି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ବିଦ୍ୟାଳୟ ଭିତରେ ପ୍ରାୟ ୪ରୁ ୫ ଫୁଟ ପାଣି ପଶିଥିଲା। ଫଳରେ ବହୁ ଫାଇଲପତ୍ର ସମେତ ବିଦ୍ୟାଳୟର ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଥିଲା। ପାଣି ଛାଡ଼ିବା ପରେ ବିଦ୍ୟାଳୟ ଭିତରେ ମୋଟା ପଙ୍କର ସ୍ତର ଜମି ରହିଥିଲା। ବିଦ୍ୟାଳୟ ଖୋଲିବା ପୂର୍ବରୁ ପରିସରକୁ ସ୍ୱଚ୍ଛ ଓ ସୁରକ୍ଷିତ କରିବା ସହ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ସଫେଇ କାର୍ଯ୍ୟ କରାଯାଇଥିଲା। ଜନପ୍ରତିନିଧି, ଶିକ୍ଷକ ଓ ପୁରାତନ ଛାତ୍ରଙ୍କ ଏଭଳି ସାମୂହିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ