ଗଞ୍ଜାମ ବନ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ଆଦାନୀ ଫାଉଣ୍ଡେସନର ରିଲିଫ୍ ସହାୟତା
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ଯୋଗାଇବା ପାଇଁ ଆଗେଇ ଆସିଛି ଆଦାନୀ ଫାଉଣ୍ଡେସନ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ବ୍ୟାପକ ରିଲିଫ୍ ସହାୟତା କାର୍ଯକ୍ରମରେ ସାମିଲ ହୋଇ ଆଦାନୀ ଗ୍ରୁପ୍ର ସାମାଜିକ କଲ୍ୟାଣ ଓ ବିକାଶମୂଳକ ଶାଖା, ଆଦାନୀ ଫାଉଣ୍ଡେସନ ପକ୍ଷରୁ ପ୍ରାୟ ୬,୫୦୦ ବନ୍ୟା ପ୍ରଭାବିତ ପରିବାରଙ୍କ ଉଦେଶ୍ୟରେ ଶୁଖିଲା ରାସନ୍ କିଟ୍ ତୁରନ୍ତ ଯୋଗାଇଦିଆଯାଇଅଛି। ପ୍ରଭାବିତ ଅଞ୍ଚଳରେ ଏହି ରିଲିଫ କିଟ୍ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ବଣ୍ଟନ କାର୍ଯ୍ୟ ପରିଚାଳନା ହେଉଥିବା ବେଳେ ଆଦାନୀ ଫାଉଣ୍ଡେସନ ସାମଗ୍ରୀଗୁଡ଼ିକର ସୁରୁଖୁରୁ ଏବଂ ସମୟାନୁବର୍ତ୍ତୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟଗତ ସହାୟତା ପ୍ରଦାନ କରୁଛି ଯାହାଦ୍ୱାରା ରିଲିଫ ସାମଗ୍ରୀଗୁଡ଼ିକ ଉପଯୁକ୍ତ ସମୟରେ ଏବଂ ସୁଗମ ଭାବେ ପ୍ରଭାବିତ ପରିବାରଙ୍କ ନିକଟରେ ପହଞ୍ଚିପାରିବ। ପ୍ରତ୍ୟେକ ରିଲିଫ୍ କିଟ୍ରେ ଚାଉଳ, ଡାଲି, ରିଫାଇନ୍ ତେଲ, ଚିନି, ଚୁଡ଼ା, ବିସ୍କୁଟ୍, ମହମବତୀ ଓ ଦିଆସିଲି ଭଳି ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ ଓ ଘରୋଇ ସାମଗ୍ରୀ ରହିଛି। ଏହି ସାମଗ୍ରୀଗୁଡ଼ିକ ଏକ ପରିବାରର ପ୍ରାୟ ଦୁଇ ରୁ ତିନି ଦିନର ମୌଳିକ ଖାଦ୍ୟ ଆବଶ୍ୟକତା ପୂରଣ କରିବା ସହିତ ଏହି କଠିନ ସମୟରେ ପ୍ରଭାବିତ ପରିବାରଙ୍କୁ ତତ୍କାଳ ସହାୟତା ପ୍ରଦାନ କରିବ। ଆଦାନୀ ଫାଉଣ୍ଡେସନର ଏହି ପଦକ୍ଷେପ ଜରୁରୀକାଳୀନ ପରିସ୍ଥିତି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜ ସହିତ ଦୃଢ଼ ଭାବେ ଠିଆ ହେବା ଭଳି ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଜିଲ୍ଲା ପ୍ରଶାସନ ଓ ସରକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ଗୋପାଳପୁର ବନ୍ଦର ଓ ଆଦାନୀ ଫାଉଣ୍ଡେସନ ନିରନ୍ତର ଭାବେ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟ କରିଆସୁଛନ୍ତି।


