ରାସ୍ତାରେ ପଙ୍କ ପଡ଼ି ବଢୁଛି ଦୂର୍ଘଟଣା: ସାଧାରଣରେ ଅସନ୍ତୋଷ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ନୂଆଁ ବନ୍ଧର ପାଣି ବହୁଦିନ ଧରି ଖରାପ ହୋଇଯାଇଥିବାରୁ ଏହାକୁ ପରିଷ୍କାର କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ, ଗ୍ରାମବାସୀଙ୍କ ଅନୁରୋଧକୁ ଆଖି ଆଗରେ ରଖି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପାଣି ନିଷ୍କାସନ କରାଯିବା ସହ ଗତ ପନ୍ଦର ଦିନ ହେବ ପୋଖରୀ ଖନନ କାର୍ଯ୍ୟ ଜାରି ରହିଛି, ଜେସିବି ମାଧ୍ୟମରେ ପୋଖରୀ ଖୋଳାଯାଇ ଦଶରୁ ଉର୍ଦ୍ଧ୍ଵ ଟ୍ରାକ୍ଟର ମାଧ୍ୟମରେ ପୋଖରୀର ପଙ୍କକୁ ସ୍ଥାନାନ୍ତର କରାଯାଉଛି, କିନ୍ତୁ ଟ୍ରାକ୍ଟର ଗୁଡ଼ିକ ପଙ୍କ ବୋହିବା ବେଳେ ଟ୍ରାକ୍ଟର ଡାଲାର ପଛପଟ ରାସ୍ତାକୁ ବନ୍ଦ କରାଯାଉନାହିଁ କିମ୍ବା ରାସ୍ତାରେ ପଙ୍କ ନପଡିବା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ, ପଙ୍କ ଟ୍ରାକ୍ଟର ଗୁଡ଼ିକ ନୂଆଁବନ୍ଧ ଠାରୁ ଭାୟା କୋଳି ସାହି ଦେଇ ଶାନ୍ତି ନଗର, ସୁତୁମୁସର ରୋଡ଼୍, ବିଦ୍ୟୁତ୍ କାର୍ଯ୍ୟାଳୟ ଛକ ଆଦି ଅଞ୍ଚଳକୁ ଯାଉଥିବା ବେଳେ ରାସ୍ତା ସାରା ପଙ୍କ ପଡ଼ି ପଡ଼ି ଯାଉଛି, ଯାହାଫଳରେ ରାସ୍ତା ସାରା ପଙ୍କ ଜମା ହୋଇ ରହୁଛି ଏବଂ ଏହି ପଙ୍କରେ ଲୋକଙ୍କ ଗାଡ଼ି, ସାଇକେଲ୍ ର ଚକ ଖସି ପ୍ରତ୍ୟେକ ଦିନ ଦୂର୍ଘଟଣା ଘଟୁଛି, ପ୍ରତ୍ୟେକ ଦିନ ଏମିତି ଗୋଟିଏ ଦୁଇଟି ଦୁର୍ଘଟଣା ଘଟୁଥିବା ବେଳେ ଶୁକ୍ରବାର ଦିନ କିନ୍ତୁ କୋଡ଼ିଏରୁ ଉର୍ଦ୍ଧ୍ଵ ବାଇକ୍ ଚାଳକ ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆ ଖାବରା ହୋଇଥିଲେ, ଶୁକ୍ରବାର ଦିନ ବର୍ଷା ହୋଇଯାଇଥିବାରୁ ପଙ୍କ ପଡ଼ିଥିବା ରାସ୍ତାଟି ଅଧିକ କାଦୁଅ ହୋଇଯାଇଥିଲା, ଫଳରେ କୋଡ଼ିଏରୁ ଉର୍ଦ୍ଧ୍ଵ ଲୋକ ସେ ରାସ୍ତାରେ ପଡ଼ି ଆହତ ହୋଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ, ବେଲଗୁଣ୍ଠା ଅଞ୍ଚଳ ସହିତ ବାହାରୁ ଆସିଥିବା ବହୁ ଲୋକ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି, ଏହାକୁ ନେଇ ବେଲଗୁଣ୍ଠାରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି, ସେହି ରାସ୍ତା ଦେଇ ବହୁ ବାଇକ୍ ଚାଳକ ଗାଡ଼ି ଚଳାଇ ଯିବାକୁ ନିରାପଦ ମନେ ନକରି ଗାଡିକୁ ଗଡାଇ ଗଡ଼ାଇ ନେଉଥିବା ଦେଖିବାକୁ ମିଳିଛି I ତେଣୁ ରାସ୍ତାରେ ପଡ଼ିଥିବା ଏହି ପଙ୍କକୁ ତୁରନ୍ତ ରାସ୍ତାରୁ ସଫା କରିବା ସହ ଟ୍ରାକ୍ଟରରେ ପଙ୍କ ବୋହିଲା ବେଳେ କିପରି ଏହା ରାସ୍ତାରେ ନପଡ଼ିବ ସେନେଇ ବ୍ୟବସ୍ଥା କରିବା ପାଇଁ ବେଲଗୁଣ୍ଠା ବାସୀ ଦାବୀ କରିଛନ୍ତି।


