ଉତ୍କଳସ୍ୟ ସମୋ ଦେଶଃ ନାସ୍ତି

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ପରମ ପାବନ ହେଉଛି ଆମ ଭାରତବର୍ଷ । ଏହି ଭାରତବର୍ଷରେ ସୁଶୋଭିତ ଏ ଉତ୍କଳ ଦେଶ ଭୂଖଣ୍ଡ । ଏପରି ଭୂଖଣ୍ଡ ଏ ମହୀତଳେ ଦେଖିବା ଅତ୍ୟନ୍ତ ବିରଳ। ତେଣୁ କପିଳ ସଂହିତା ରେ କୁହା ଯାଇଛି ଯେ:
ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ସ୍ମୃତଃ ।
ଉତ୍କଳସ୍ୟ ସମୋ ଦେଶୋ, ଦେଶଃ ନାସ୍ତି ମହୀତଳେ ॥
ଏହି ଭୂମି ଜାତି ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି। ଯେଉଁ ଭୂମି ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ରୂପାନ୍ତରିତ କରିଦେଇଥିଲା, ତେଣୁ ଏ ଧର୍ମର ଭୂମି। କେବଳ ଏ ଭୂମି ଧର୍ମର ଭୂମି ନୁହେଁ; ଅପିତୁ ତ୍ୟାଗର ଭୂମି, ତପଃର ଭୂମି, ଜ୍ଞାନର ଭୂମି, ବିଜ୍ଞାନର ଭୂମି, ବୀରଙ୍କର ଭୂମି, ଶକ୍ତି, ଭକ୍ତି ଓ ମୁକ୍ତିର ଭୂମି ଏବଂ ସର୍ବାଦୌ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିତ୍ୟ ମାନବୀୟ ଲୀଳାର ଭୂମି। ଏହାର ଇତିହାସ, ସଂସ୍କୃତି ଓ ପରମ୍ପରା ଅତୀବ ପ୍ରଚୀନ। ଯାହାର ଦୃଷ୍ଟାନ୍ତ ମହର୍ଷି ବେଦବ୍ୟାସଙ୍କ ବିରଚିତ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଦେଖିବାକୁ ମିଳେ:
ଉତ୍କଳୋନାମ ଦେଶୋଽସ୍ତି ଖ୍ୟାତଃ ପରମପାବନଃ ।
ଯତ୍ର ତୀର୍ଥାନ୍ୟନେକାନି ପୁଣ୍ୟାନ୍ୟାୟତନାନି ଚ ॥ ୨ ॥
ଏହି ଶ୍ଳୋକରେ ଜୈମିନି ମୁନି ଉତ୍କଳ ଦେଶର ମହିମା ବର୍ଣ୍ଣନାକରି କହିଛନ୍ତି ଯେ, ଉତ୍କଳ ନାମରେ ଏ’ପରି ଏକ ପରମ ପାବନ ଦେଶ ରହିଛି, ଯା’ର ଖ୍ୟାତି ଚତୁର୍ଦ୍ଦିଗରେ ସୁବିଦିତ। ଯେଉଁଠାରେ ଅନେକ ଗୁଡ଼ିଏ ପବିତ୍ର ତୀର୍ଥସ୍ଥାନ ଏବଂ ପୁଣ୍ୟମୟ ଦେବାଳୟାଦି ମଧ୍ୟ ରହିଆସିଛି । ତା’ ସହିତ ସ୍ଥାନ ଓ ପାତ୍ରର ମଧ୍ୟ ବିଶେଷତା କହିଛନ୍ତି।
ଦକ୍ଷିଣସ୍ୟୋଦଧେସ୍ତୀରେ ସ ତୁ ଦେଶଃ ପ୍ରତିଷ୍ଠିତଃ ।
ଯତ୍ର ସ୍ଥିତା ବୈପୁରୁଷାଃ ସଦାଚାରନିଦର୍ଶନାଃ ॥ ୩ ॥
ଏହି ଭୂଖଣ୍ତ ଭାରତବର୍ଷର ଦକ୍ଷିଣ ସମୁଦ୍ର କୂଳରେ ଅବସ୍ଥିତ। ଯେଉଁଠାରେ ବସବାସ କରୁଥିବା ମନୁଷ୍ୟମାନେ ଅତ୍ୟନ୍ତ ସଦାଚାର ବା ଉତ୍ତମ ଆଚରଣର ଜ୍ୱଳନ୍ତ ନିଦର୍ଶନ ଅଟନ୍ତି । ସେ’ପରି ପ୍ରାଚୀନ ବୌଦ୍ଧ ସାହିତ୍ୟ ଯଥା ‘ମହାଗୋବିନ୍ଦ ସୁତ୍ତାନ୍ତ’ ଏବଂ ବିଭିନ୍ନ ‘ଜାତକ’ ଗଳ୍ପରେ ଉତ୍କଳ ଓ କଳିଙ୍ଗର ବର୍ଣ୍ଣନା ରହିଛି। ଏ ପ୍ରଦେଶର ଲିଖିତ ଇତିହାସ ଆରମ୍ଭ ହେବା ପୂର୍ବରୁ, ଏହା ଏକ ଶକ୍ତିଶାଳୀ ଜନପଦ ଭାବରେ ପ୍ରତିଷ୍ଠିତ ହୋଇ ରହିଥିଲା। ଯା’ର ଉତ୍କୃଷ୍ଟ କଳା ଏଵଂ ଶିଳ୍ପ ନୈପୁଣ୍ୟତା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଯୋଗୁଁ ଏହାର ନାମ ଉତ୍କଳ ବୋଲି କୁହାଯାଇଛି।
ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ ଯେ, ସୂର୍ଯ୍ୟବଂଶୀୟ ଗଜପତି କପିଳେନ୍ଦ୍ରଦେବଙ୍କ ସମୟରେ ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ସୁବିସ୍ତୃତ ରହିଥିଲା। ପୁରୁଷୋତ୍ତମ ଦେବ ଏବଂ ପ୍ରତାପରୁଦ୍ର ଦେବ ମଧ୍ୟ ଏହି ବଂଶର ମହାନ ଶାସକମାନେ ଥିଲେ। ପରନ୍ତୁ ମୁକୁନ୍ଦ ଦେବଙ୍କ ପରେ ଏ ରାଜ୍ୟ ଆଫଗାନ ଏବଂ ତା’ପରେ ମୋଗଲମାନଙ୍କ ଅଧୀନକୁ ଚାଲିଯାଇଥିଲା। ଏହାପରେ ମରହଟ୍ଟାମାନେ ଓଡ଼ିଶାକୁ ଦଖଲ କରିଥିଲେ କିନ୍ତୁ ସେମାନଙ୍କ ଶାସନ ସମୟରେ ଚାରିଆଡ଼େ ଅରାଜକତା ଦେଖାଦେବାକୁ ଲାଗିଲା, ଏହାର ସୁଯୋଗ ନେଇ ବ୍ରିଟିଶମାନେ ୧୮୦୩ ମସିହାରେ ମରହଟ୍ଟାମାନଙ୍କୁ ପରାସ୍ତ କରି ଓଡ଼ିଶାକୁ ଦଖଲ କରିଥିଲେ। ବ୍ରିଟିଶ ପ୍ରଶାସନ ଫଳରେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଗୁଡ଼ିକ ବିଭିନ୍ନ ପଡୋଶୀ ପ୍ରଦେଶ ସହ ମିଶି ଯାଇଥିଲା।
ବର୍ତ୍ତମାନର ଭାଷାଭିତ୍ତିକ ଓଡ଼ିଆ ପ୍ରଦେଶ ବ୍ରିଟିଶ ଶାସନ କାଳରେ , ଏହାର କେତେକ ଅଞ୍ଚଳ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ମାଡ୍ରାସ ପ୍ରେସିଡେନ୍ସିର ଅଧୀନରେ ବିଭାଜିତ ହୋଇ ରହିଥିଲା। ଏହି ପ୍ରଦେଶର ଭାଷା ଓ ପରିଚୟକୁ ବଞ୍ଚାଇବା ପାଇଁ ତତ୍କାଳୀନ ଉତ୍କଳର ବରପୁତ୍ରମାନେ ଯଥା: ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, ରାଧାନାଥ ରାୟ ଓ ଗଙ୍ଗାଧର ମେହେର ପ୍ରଭୃତି ସଘଂର୍ଷ କରିଥିଲେ। ଯା’ର ପ୍ରଥମ ଲକ୍ଷ ଥିଲା ବିଚ୍ଛିନ୍ନ ଓଡ଼ିଶାକୁ ଏକ ଭାଷା ଭିତ୍ତିକ ସ୍ଵତନ୍ତ୍ର ରାଜ୍ୟରେ ପରିଣତ କରିବା। ତେଣୁ ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୩ ମସିହାରେ ଏହାର ପ୍ରଥମ ସମ୍ମିଳନୀ କଟକର ଇଦଗା ପଡିଆରେ ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନର ପ୍ରମୁଖ ନେତୃବର୍ଗଙ୍କ ନେତୃତ୍ୱ ଦ୍ୱାରା ଦୀର୍ଘ ବର୍ଷର ସଂଘର୍ଷ ପରେ, ୧୯୩୬ ମସିହା ଅପ୍ରେଲ ମାସର ୧ ତାରିଖ ଦିନ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହେଲା। ଯା’ଫଳରେ ଏ ପ୍ରାଚୀନ ସମୃଦ୍ଧ ଓଡ଼ିଆ ଭାଷା, ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଲା। ଏହି ଭାଷାର ମହତ୍ତ୍ୱକୁ ହୃଦୟଙ୍ଗମ କରି ୨୦ ଫେବୃଆରୀ ୨୦୧୪ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ ଏବଂ ମାର୍ଚ୍ଚ ୧୧ତାରିଖ ଦିନ, ଏ ନେଇ ଗାଜେଟ ନୋଟିଫିକେସନ ଜାରି କରାଯାଇଥିଲା। ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷା ପରେ ଏହି ଗୌରବ ଅର୍ଜନ କରିଥିବା ଷଷ୍ଠ ଭାରତୀୟ ଭାଷା ହେଉଛି ଓଡ଼ିଆ। ଯାର ସାହିତ୍ୟ ଅତ୍ୟନ୍ତ ବ୍ୟାପକ ଅଟେ। ତେଣୁ କୁହାଯାଉଛି:
ଶାସ୍ତ୍ରୀୟ ମୋ ଭାଷା ଅତୀବ ସରସା
ଉଡ଼ାଏ ସଂସାରେ ନେତ
ସାହିତ୍ୟ ଯାହାର ନାହିଁ ପଟାନ୍ତର
ଜଗନ୍ନାଥ ଭାଗବତ
କହଇ ହେମନ୍ତ ଗର୍ବେ
ଓଡ଼ିଆର କବି ଅତି ଅନୁଭବି
ଭଞ୍ଜ ବଳଦେବ ସର୍ବେ।।
ସାରଳା ଦାସଙ୍କ ମହାଭାରତ ଓ ଜଗନ୍ନାଥ ଦାସଙ୍କ ଭାଗବତ ଠାରୁ ଆରମ୍ଭ କରି ବଳରାମ ଦାସଙ୍କ ଜଗମୋହନ ରାମାୟଣ ଏବଂ ଉପେନ୍ଦ୍ର ଭଞ୍ଜଙ୍କ ରୀତି ସାହିତ୍ୟ ପର୍ଯ୍ୟନ୍ତ ସବୁକିଛି ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ ପ୍ରମାଣିତ କରେ। ଆଧୁନିକ ଯୁଗରେ ଫକୀର ମୋହନ ସେନାପତି, ରାଧାନାଥ ରାୟ ଏବଂ ଗଙ୍ଗାଧର ମେହେରଙ୍କ ଭଳି କବି ଓ ଲେଖକମାନେ ଏହି ପରମ୍ପରାକୁ ଆଗକୁ ନେଇଛନ୍ତି।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା କେବଳ ଓଡ଼ିଶା ବା ଓଡ଼ିଆଙ୍କ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ଭାଷାବିତ୍ମାନଙ୍କ ପାଇଁ ଏକ ଗର୍ବ ଓ ଗୌରବପୂର୍ଣ୍ଣ ବିଷୟ। ଏହା ଦ୍ୱାରା ଏ ଭାଷାର ଗବେଷଣା ଏବଂ ପ୍ରଚାର ପ୍ରସାର ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇପାରିଛି। ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଆମର ଏହି ମହାନ ଶାସ୍ତ୍ରୀୟ ଭାଷାକୁ ସମ୍ମାନ ଦେବା ଏବଂ ଏହାର ସୁରକ୍ଷା ପାଇଁ ଯତ୍ନବାନ ହେବା। କାରଣ ଭାଷା ବଞ୍ଚିଲେ ସାହିତ୍ୟ ବଞ୍ଚିବ ଏବଂ ସାହିତ୍ୟ ବଞ୍ଚିଲେ ଏ ସଂସ୍କୃତି ତା’ର ଧ୍ୱଜା ଉଡ଼ାଇ ଚାଲିଥିବ ଏବଂ ଏ ସଂସ୍କୃତି ଉତ୍ତର ଦାୟଦମାନଙ୍କ ମୁହଁରେ ଏକ ହିଁ ଧ୍ୱନି ଥିବ “ବନ୍ଦେ ଉତ୍କଳ ଜନନୀ” ।
ଖମ୍ବେଶ୍ଵରୀ ପାଟଣା
ଆସିକା, ଗଞ୍ଜାମ।


