ଦୌଡ଼ୁଥିବା ଜୀବନ ଓ ଥକିପଡ଼ୁଥିବା ମଣିଷ

ଆଜିର ପିଢ଼ୀ, ଆଶାର ଚାପ ଓ ଜୀବନର ନିରବ ସତ୍ୟ। “ସମସ୍ତେ ଜୀବନରେ ଜିତିବାକୁ ଚାହାଁନ୍ତି, କିନ୍ତୁ କେହି ମଣିଷର ଭିତରେ ଚାଲୁଥିବା ନିରବ ଯୁଦ୍ଧକୁ ଦେଖିପାରୁନାହାନ୍ତି।” “ଆଜି ମଣିଷ ଦୌଡ଼ୁଛି ବହୁତ ତେଜରେ, କିନ୍ତୁ ନିଜ ମନର ଶାନ୍ତିକୁ ସବୁଠାରୁ ପଛରେ ଛାଡ଼ି ଆସୁଛି।” ଆଜିର ସମୟରେ ଆମେ ସବୁକିଛିକୁ ଅତ୍ୟନ୍ତ ଶୀଘ୍ର ଭୁଲିଯାଉଛୁ। ସୋସିଆଲ୍ ମିଡିଆରେ କୌଣସି ଘଟଣା କିଛିଦିନ ଚର୍ଚ୍ଚାରେ ରହେ, ତାପରେ ଆଉ ଗୋଟିଏ ନୂଆ ଖବର ଆସି ସେସବୁକୁ ସ୍ମୃତିରେ ମିଶେଇ ଦିଏ। କିନ୍ତୁ ଜୀବନର କିଛି ସତ୍ୟ ଏମିତି ଅଛି, ଯାହା କେବେ ପୁରୁଣା ହୁଏନାହିଁ। ସମୟ ବଦଳେ, ପିଢ଼ୀ ବଦଳେ, ପ୍ରଯୁକ୍ତି ବଦଳେ; କିନ୍ତୁ ମଣିଷର ଭୟ, ଦୁଃଖ, ଆଶା ଓ ସଂଘର୍ଷ ସେଇ ପୁରୁଣା ରହିଯାଏ। ମୋତେ ଲାଗେ, ଏହି ଦୁନିଆରେ ସବୁକିଛି ସମ୍ଭବ। ଜଣେ ସାଧାରଣ ଛାତ୍ର UPSC ରେ ସଫଳ ହୋଇପାରେ, ଜଣେ ଗାଁର ଲୋକ ଦେଶର ପ୍ରଧାନମନ୍ତ୍ରୀ ହୋଇପାରେ। ଭବିଷ୍ୟତ ଏକ ଅନ୍ଧକାର ରାସ୍ତା ପରି, ଯେଉଁଠାରେ ଆଗକୁ କ’ଣ ଅଛି ତାହା କେହି ଜାଣେନାହିଁ। ଜୀବନ ମଧ୍ୟ ସେଇପରି। କେବେ ଅଚାନକ ସୁଖ ଆସେ, କେବେ ହଠାତ୍ ଦୁଃଖ। କେବେ ପ୍ରେମ ଆସେ, କେବେ ପ୍ରତାରଣା। ସେଥିପାଇଁ ଜୀବନ ସବୁବେଳେ ସମ୍ଭାବନାମୟ। କିନ୍ତୁ ଆଜିର ସମାଜରେ ଗୋଟିଏ ଅଜଣା ଦୌଡ଼ ଚାଲିଛି। ସମସ୍ତେ ଦୌଡ଼ୁଛନ୍ତି, କିନ୍ତୁ ଅନେକଙ୍କୁ ନିଜେ ମଧ୍ୟ ଜଣାନାହିଁ ସେମାନେ କେଉଁଠି ପହଞ୍ଚିବାକୁ ଚାହୁଁଛନ୍ତି। କାହା ପାଇଁ ମାର୍କ୍ସ ହିଁ ଜୀବନ, କାହାର ପାଇଁ ଚାକିରି, କାହାର ପାଇଁ ଟଙ୍କା ଓ ପରିଚୟ। ଧୀରେଧୀରେ ମଣିଷ “ଜୀବନ” ଠାରୁ “ପରିଣାମ” କୁ ଅଧିକ ମୂଲ୍ୟ ଦେବା ଆରମ୍ଭ କରିଛି। ସୋସିଆଲ୍ ମିଡିଆ ଏହି ଚାପକୁ ଆଉ ଅଧିକ ବଢ଼ାଇଦେଇଛି। ଆମେ ଲୋକଙ୍କ ସଫଳତାର ଛବି ଦେଖୁଛୁ, କିନ୍ତୁ ସେମାନଙ୍କ ନିରବ ଯନ୍ତ୍ରଣାକୁ ଦେଖିପାରୁନାହୁଁ। କାହାର ହସୁଥିବା ଫଟୋ ପଛରେ କେତେ ଅଶ୍ରୁ ଲୁଚିଛି, ତାହା କେହି ଜାଣେନାହିଁ। ଆଜି ଅନେକ ଯୁବକ ନିଜ ଜୀବନକୁ ଅନ୍ୟମାନଙ୍କ ସହ ତୁଳନା କରି କରି ନିଜ ଆତ୍ମବିଶ୍ୱାସ ହରାଇଦେଉଛନ୍ତି। ଆଜି ମୋବାଇଲ୍ ସ୍କ୍ରିନ୍ ମଣିଷକୁ ଦୁନିଆ ସହ ଯୋଡ଼ୁଛି, କିନ୍ତୁ ନିଜ ପରିବାର ଓ ନିଜ ମନରୁ ଦୀର୍ଘ ଦୂରେ ନେଇଯାଉଛି। ଲୋକେ ଅନଲାଇନ୍‌ରେ ହସୁଛନ୍ତି, କିନ୍ତୁ ଅଫଲାଇନ୍‌ରେ ନିରବରେ ଭାଙ୍ଗିପଡ଼ୁଛନ୍ତି। ଅନେକ ସମୟରେ ମଣିଷଙ୍କର ସବୁଠାରୁ ବଡ଼ ଏକାକୀପଣ ଭିଡ଼ ମଧ୍ୟରେ ହିଁ ଲୁଚିଥାଏ।

ଏଠାରେ ଗୋଟିଏ ପ୍ରଶ୍ନ ଆସେ। ଯଦି ଜୀବନ ସମ୍ଭାବନାମୟ, ତେବେ ଏତେ ଅପେକ୍ଷା କରିବା ସତ୍ତ୍ୱେ କିଛି ଘଟୁନାହିଁ କାହିଁକି? କେହି ଭଲ ଚାକିରିର ଅପେକ୍ଷା କରୁଛନ୍ତି, କେହି ରୋଗରୁ ସୁସ୍ଥ ହେବାକୁ ଚାହୁଁଛନ୍ତି, କେହି ନିଜ ସ୍ୱପ୍ନ ପୂରଣର ଆଶାରେ ଅଛନ୍ତି। କିନ୍ତୁ କେବଳ ଅପେକ୍ଷା କରିବା ହେଉଛି ଜୀବନର ସବୁଠାରୁ ବଡ଼ ଭୁଲ। କାରଣ ଭଲ ସମୟ ଆସିବା ପୂର୍ବରୁ ଜୀବନ କେବେ ନିମନ୍ତ୍ରଣ ଦେଇନାହିଁ। ସେପରି ଖରାପ ସମୟ ମଧ୍ୟ ସଚେତନ କରି ଆସେନାହିଁ। ପ୍ରକୃତିରେ କୌଣସି ଗଛ ଗୋଟିଏ ଦିନରେ ବଡ଼ ହୁଏନାହିଁ। ବିଜ ମାଟି ତଳେ ଦୀର୍ଘ ସମୟ ନିରବରେ ରହିଥାଏ, ତାପରେ ଦିନେ ଅଙ୍କୁରିତ ହୁଏ। ମଣିଷର ଜୀବନ ମଧ୍ୟ ସେଇପରି। ପ୍ରତ୍ୟେକ ସଫଳତା ପଛରେ ଅନେକ ଅସଫଳତା ଲୁଚି ରହିଥାଏ। କିନ୍ତୁ ଆଜି ଆମେ ଅସଫଳତାକୁ ଶେଷ ଭାବି ନେଉଛୁ। ଗୋଟିଏ ପରୀକ୍ଷାରେ ଖରାପ ମାର୍କ୍ସ, ଗୋଟିଏ ଇଣ୍ଟରଭ୍ୟୁରେ ବିଫଳତା କିମ୍ବା ଗୋଟିଏ ସ୍ୱପ୍ନ ଭାଙ୍ଗିଯିବାକୁ ଆମେ ଜୀବନର ପରାଜୟ ଭାବିବା ଆରମ୍ଭ କରିଦେଉଛୁ। ଆଉ ଗୋଟିଏ କଥା ମନକୁ ସବୁବେଳେ ଚିନ୍ତା କରାଏ। ଆମେ କାହିଁକି ଧାରଣା କରି ନେଉଛୁ ଯେ ଭବିଷ୍ୟତରେ ସବୁ ଠିକ୍ ହୋଇଯିବ? ଆଶା ଯେତେ ବଡ଼, ନିରାଶାର ଯନ୍ତ୍ରଣା ମଧ୍ୟ ସେତେ ଗଭୀର। ଆମେ ଅନେକ ସମୟ ନିଜ ମନରେ ନିର୍ଦ୍ଧାରଣ କରି ନେଉଛୁ—“ଏହି ଦିନ ଏହା ହେବ।” ଯଦି ହେଲା, ଭଲ କଥା। କିନ୍ତୁ ଯଦି ନ ହେଲା, ମନ ଗଭୀର ଧକ୍କା ଖାଏ। ସେଥିପାଇଁ ଭବିଷ୍ୟତକୁ ନେଇ ଅତ୍ୟଧିକ ଚିନ୍ତା କରିବାଠାରୁ ବରଂ ମାନସିକ ଭାବେ ଶକ୍ତିଶାଳୀ ହେବା ଅଧିକ ଜରୁରୀ। ଆଜି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଗୋଟିଏ ବଡ଼ ସମସ୍ୟା ହୋଇଉଠିଛି। ଅନେକ ଲୋକ ନିରବରେ ନିଜ ଭିତରେ ଯୁଦ୍ଧ କରୁଛନ୍ତି। ଆମେ ଶରୀରର ଘାକୁ ଦେଖିପାରୁଛୁ, କିନ୍ତୁ ମନର ଘାକୁ ବୁଝିପାରୁନାହୁଁ। ସେଥିପାଇଁ କାହାକୁ ବିଚାର କରିବା ପୂର୍ବରୁ ତାଙ୍କର ପରିସ୍ଥିତିକୁ ବୁଝିବା ଅଧିକ ଜରୁରୀ।

ଏଠାରେ ଅଭିଭାବକଙ୍କ ପାଇଁ ମଧ୍ୟ ଗୋଟିଏ ଛୋଟ ସନ୍ଦେଶ ଅଛି। ପ୍ରତ୍ୟେକ ଶିଶୁ ସମାନ ନୁହେଁ। ସମସ୍ତଙ୍କର ସ୍ୱପ୍ନ, ଚିନ୍ତା ଓ କ୍ଷମତା ଅଲଗା। କିନ୍ତୁ ଦୁଃଖର କଥା, ଆଜି ଅନେକ ଶିଶୁ ନିଜ ଇଚ୍ଛାରେ ନୁହେଁ, ଅନ୍ୟମାନଙ୍କ ଆଶାରେ ବଞ୍ଚୁଛନ୍ତି। ତୁଳନାର ଅଗ୍ନିରେ ଅନେକ ପ୍ରତିଭା ନିରବରେ ଝଡ଼ିଯାଏ। ଆପଣଙ୍କ ପୁଅ କିମ୍ବା ଝିଅ ସବୁବେଳେ “ପ୍ରଥମ” ହେବା ଦରକାର ନୁହେଁ; ସେ ଭଲ ମଣିଷ ହେବା ଅଧିକ ଜରୁରୀ। କେବେକେବେ ଶିଶୁମାନେ ପରାମର୍ଶଠାରୁ ଅଧିକ ବୁଝିବା ଓ ସହାନୁଭୂତି ଚାହାଁନ୍ତି। ସେମାନଙ୍କୁ କେବଳ ପଢ଼ିବା ପାଇଁ ନୁହେଁ, ବଞ୍ଚିବା ପାଇଁ ମଧ୍ୟ ଶିଖାନ୍ତୁ। କାରଣ ଅଧିକ ଚାପ ଅନେକ ସମୟ ଜଣେ ଯୁବକର ମନକୁ ନିରବ ଝଡ଼ରେ ପରିଣତ କରିଦିଏ। ହାର ଓ ଜିତ, ଉଭୟ ଜୀବନର ଅଂଶ। ଅନେକ ଲୋକ କେବଳ ଏହିକାରଣରେ ଭାଙ୍ଗିପଡ଼ନ୍ତି, କାରଣ ସେମାନେ ଅସଫଳତାକୁ ଗ୍ରହଣ କରିବା ଶିଖିନାହାନ୍ତି। ଯିଏ ଅସଫଳତାକୁ ସ୍ୱୀକାର କରିପାରେନାହିଁ, ସେ ସଫଳତାର ଆନନ୍ଦକୁ ମଧ୍ୟ ସତ୍ୟରେ ଉପଭୋଗ କରିପାରିବ ନାହିଁ। ସତ କହିବାକୁ ଗଲେ, “ସଫଳତା” ବୋଲି କିଛି ସ୍ଥାୟୀ ଜିନିଷ ନାହିଁ। ସେ କେବଳ ଏକ କ୍ଷଣିକ ଖୁସି। ପରୀକ୍ଷାରେ ପାସ୍ କରିଦେଲେ ଜୀବନ ଥମି ଯାଏନାହିଁ। ଚାକିରି ପାଇଲେ ସବୁ ସମସ୍ୟା ସମାପ୍ତ ହୋଇଯାଏନାହିଁ। ପ୍ରତ୍ୟେକ ଜିନିଷର ମୂଳରେ ରହିଛି କର୍ମ। ସଫଳତା ଓ ଅସଫଳତା ଦୁଇଟି ଅସ୍ଥାୟୀ, କିନ୍ତୁ କର୍ମ ହିଁ ଏକମାତ୍ର ସତ୍ୟ। ଜୀବନ କୌଣସି ପ୍ରତିଯୋଗିତା ନୁହେଁ; ଏହା ଏକ ଯାତ୍ରା। ଏଠାରେ ଗନ୍ତବ୍ୟଠାରୁ ଅଧିକ ଜରୁରୀ ହେଉଛି ମଣିଷ ଭାବେ ନିଜକୁ ଜୀବନ୍ତ ରଖିବା। ଅନ୍ୟମାନଙ୍କୁ ହରାଇବା ପୂର୍ବରୁ ନିଜ ଭିତର ଭୟକୁ ହରାଇବା ଅଧିକ ଆବଶ୍ୟକ। ଶେଷରେ କେବଳ ଏତିକି, ଜୀବନକୁ ଭୟ କରନ୍ତୁ ନାହିଁ। ଅସଫଳତାକୁ ଲଜ୍ଜା ଭାବନ୍ତୁ ନାହିଁ। ନିଜକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ। କାରଣ ପ୍ରତ୍ୟେକ ମଣିଷର ଜୀବନ ଗୋଟିଏ ଅଲଗା କାହାଣୀ। କେହି ଶୀଘ୍ର ସଫଳ ହୁଅନ୍ତି, କେହି ଧୀରେ ଧୀରେ ସଫଳତାରେ ପାଦ ଥାପନ୍ତି। କେହି ଆଲୋକରେ ଚମକନ୍ତି, କେହି ଅନ୍ଧକାର ସହ ଯୁଦ୍ଧ କରି ନିଜ ଆଲୋକ ତିଆରି କରନ୍ତି।

ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି, ଏହା କେବେ ସଂପୂର୍ଣ୍ଣ ନୁହେଁ। କେବେ ସୁଖ, କେବେ ଦୁଃଖ; କେବେ ଜିତ, କେବେ ହାର। କିନ୍ତୁ ଯେପର୍ଯ୍ୟନ୍ତ ମଣିଷ ନିଜ ଭିତରେ ଆଶା, ଧୈର୍ଯ୍ୟ ଓ କର୍ମକୁ ଜୀବନ୍ତ ରଖିପାରେ, ସେପର୍ଯ୍ୟନ୍ତ କୌଣସି ଅନ୍ଧକାର ସ୍ଥାୟୀ ନୁହେଁ।

ସୌଜନ୍ୟ କୁମାର ପରିଡା
ଲଷ୍ମୀନାରାୟଣ ବଜ଼ାର, ବାରୁଅ, କେନ୍ଦ୍ରାପଡ଼ା
ମୋବାଇଲ: 8249943247

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ