ବିଜେଡିର ନାରୀ ଅଧିକାର ସମାବେଶ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ପାର୍ଲାମେଣ୍ଟରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ଆଇନର ତୁରନ୍ତ କାର୍ଯ୍ୟକାରୀକରଣ ସହ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦାବିରେ କରଞ୍ଜିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ନାରୀ ଅଧିକାର ସମାବେଶ ଅନୁଷ୍ଠିତ ହୋଇଛି। ସମାବେଶ ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କରଞ୍ଜିଆ ଦୋଳପଡିଆରୁ ଆରମ୍ଭ ହୋଇଥିବା ଏହି ସଭାଯାତ୍ରା କରଞ୍ଜିଆ ବଜାର ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ବିଜୁ ମହିଳା ଜନତାଦଳର ଜୋନାଲ ସଭାପତି ତଥା ପୂର୍ବତନ ରାଇରଙ୍ଗପୁର ଏନଏସି ଅଧ୍ୟକ୍ଷା ପ୍ରତିଲତା କାନୁନଗୋଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ-୨ ଜିଲ୍ଲା ସଭାପତି ଦେବାଶିଷ ମାରାଣ୍ଡି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ, ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ, ଆଦିବାସୀ ନେତା ସାମାୟ ପୂର୍ତ୍ତି, ପୂର୍ବତନ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପପି ପୃଷ୍ଟି, ଗିରିଧାରୀ ପୃଷ୍ଟିଙ୍କ ସମେତ ଅନେକ ବିଜେଡି ନେତୃମଣ୍ଡଳୀ ଓ ଶତାଧିକ ମହିଳା-ପୁରୁଷ ଯୋଗଦେଇଥିଲେ। ସଭାରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ମହିଳା ସଂରକ୍ଷଣ ନୀତିକୁ ନେଇ ସମାଲୋଚନା କରିବା ସହ ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ନେଇ ଦୃଢ ପଦକ୍ଷେପ ନେବାକୁ ଦାବି କରିଥିଲେ। ବକ୍ତାମାନେ କହିଥିଲେ ଯେ, ବିଜୁ ପଟ୍ଟନାୟକ ପଞ୍ଚାୟତରାଜ ସଂସ୍ଥା ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦେଇ ଇତିହାସ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ପଞ୍ଚାୟତ ଓ ପୌରସଂସ୍ଥାରେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ। ବିଜେଡି ନେତାମାନେ ଦାବି କରିଥିଲେ ଯେ, ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ତୁରନ୍ତ ଲାଗୁ କରାଯାଉ ଏବଂ ଏହାକୁ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସହ ଯୋଡି ମହିଳାଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରାନଯାଉ। ଶେଷରେ ବିଜେଡିର ପ୍ରତିନିଧିମଣ୍ଡଳ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ