ଗଜପତିରେ ମାଣ୍ଡିଆ ମିଶନରେ ବଡ଼ ଘୋଟଲା: ନକଲି ଚାଷୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ମାଣ୍ଡିଆ ମିଶନରେ ବଡ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଛି. ଏହି ସବସିଡି ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି. ନକଲି ଚାଷୀ ପଞ୍ଜୀକରଣ କରି ଦାୟୀତ୍ବରେ ଥିବା ସଂସ୍ଥା ଓ ଅଧିକାରୀ ସବୁକିଛି ଚଳୁ କରି ନେଇଥିବା ଅଭିଯୋଗ ହୋଇଛି । ସରକାର ମାଣ୍ଡିଆର ବହୁଳ ବ୍ୟବହାର ପାଇଁ ଚାଷୀ ଓ ଖାଉଟିଙ୍କ ନିକଟରେ ମାଣ୍ଡିଆର ଉପକାରିତା ସମ୍ପର୍କରେ ସଚେତନ ସୃଷ୍ଟି କରିବା ସହ ମାଣ୍ଡିଆର ଆଦୃତ ବୃଦ୍ଧି କରିବା ଲକ୍ଷରେ ମାଣ୍ଡିଆ ମିସନ ଆରମ୍ଭ କରିଛନ୍ତି । ସେଥ‌ିପାଇଁ ସବୁ କ୍ଷେତ୍ରରେ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି। ସୂଚନା ଥାଉକି ରାଜ୍ୟ ସରକାର ମାଣ୍ଡିଆ ମିସନ ମାଧ୍ୟମରେ କୁଇଣ୍ଟାଲ ପିଛା ୪୮୦୦ ଟଙ୍କା ଦରରେ ଜଣେ ଚାଷୀ ସର୍ବାଧ‌ିକ ୨୦ କୁଇଣ୍ଟାଲ ପର୍ଯ୍ୟନ୍ତ ବିକ୍ରି କରି ପାରିବେ । ସେହି ବାବଦକୁ ସବସିଡି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ । ଅନ୍ୟ ପକ୍ଷରେ ଚଳିତ ବର୍ଷ ମାର୍ଚ ୩୧ ସୁଦ୍ଧା ମୋଟ ୨୫ ହଜାର କୁଇଣ୍ଟାଲ ମାଣ୍ଡିଆ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସଂସ୍ଥା ଜରିଆରେ ୨୩ ହଜାର କୁଇଣ୍ଟାଲ ମାଣ୍ଡିଆ କ୍ରୟ ସରିଥ‌ିବା ଜଣା ପଡିଛି । ହେଲେ ତାହା ମଣ୍ଡିଆ ଚାଷୀଙ୍କୁ ଲାଭବାନ କରିବା ବଦଳରେ ଦାୟୀତ୍ବରେ ଥ‌ିବା ସଂସ୍ଥା ଓ ଅଧିକାରୀଙ୍କୁ ଲାଭବାନ କରୁଛି । ନୂଆଁଗତ ବ୍ଳକ ଝଲାରସିଂ ଗ୍ରାମର ୩୫ ପରିବାର ନାମରେ ମାଣ୍ଡିଆ ଚାଷ କରିଥିବା ପଞ୍ଜିକୃତ କରି ୫ ଏକର ଲେଖାଏଁ ଚାଷ କରାଯାଈଥିବା ଦର୍ଶାଈ କାଗଜ କଲମରେ ମାଣ୍ଡିଆ କିଣାବିକା କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଦାୟୀତ୍ବରେ ଥ‌ିବା ସଂସ୍ଥା ଏହି ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ମାଣ୍ଡିଆ କିଣିବାରୁ, ଏହି ୩୫ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠେଈବା ପରେ ଜନସେବା କେନ୍ଦ୍ର ମାଧ୍ୟମରେ ଚଞ୍ଚକତା କରି ପୁଣି ସେହି ଟଙ୍କାକୁ ଉଠାଇ ନିଆଯାଇଛି। ଏନେଇ ଠକେଇର ଶିକାର ହୋଇଥିବା ଗ୍ରାମବାସୀ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସୁଚନା ପ୍ରକାରେ ଏହି ସବୁ ପରିବାର ସୁଭଦ୍ରା କିସ୍ତି ପାଇବାରୁ ବଞ୍ଚିତ ହେବାରୁ କାହିଁକି ବାଦ ପଡିଲେ ଜାଣିବା ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ଜାଣିବାକୁ ପାଇଲେ ଯେ ଚଳିତ ବର୍ଷ ସରକାରଙ୍କ ମିଲଟ ମିସନରେ ଲକ୍ଷାଧିକ ଟଙ୍କା ପାଇବାରୁ ସେମାନେ ସୁଭଦ୍ରା ହିତାଧିକାରୀ ତାଲିକାରୁ ବାଦ ପଡ଼ିଛନ୍ତି । ପରବର୍ତ୍ତୀ ସମୟରେ ନକଲି ଚାଷୀ ପଞ୍ଜୀକରଣରେ ଏମାନଙ୍କ ଦସ୍ତାବିଜକୁ ବ୍ୟବହାର କରି କିଣାବିକାରେ ସବସିଡି, ଲୋନ କାରବାର କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସୁଜଳ ଗୁରୁ, ବିଭୁଦାନ ପାଣି,ଅମୁଦିନୀ ପାଣି, ଆକସ୍ମିତା କରାଡ, ଟିକି ଗୁରୁ, ସାନୁନା ଲିମା, ରଶ୍ମୀ ମିଶାଲ, ସୁମିତ୍ରା ଲିମା ପ୍ରମୁଖ ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁଭଦ୍ରା କିସ୍ତି ପ୍ରଦାନ ନିମନ୍ତେ ପ୍ରଶାସନ ନିକଟରେ ଦାବି ରଖୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ