ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦିବସ ପାଳିତ
କଟକ, (ଓ୍ବାଇଏନଏସ) : ଆଜି ନେତାଜୀ ସଂସ୍କୃତି ଭବନ ଠାରେ ଆନ୍ତର୍ଜାତୀୟ ଟ୍ରାନ୍ସଜେନଣ୍ଡର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ , ଟ୍ରାନ୍ସଜେଣ୍ଡର ସମୁଦାୟ ସମାଜର ଅବିଭାଜ୍ୟ ଅଂଶ , ଜିଲ୍ଲାପ୍ରଶାସନ ସବୁବେଳେ ଟ୍ରାନ୍ସଜେଣ୍ଡର ସମୁଦାୟର ଅଧିକାର ରକ୍ଷା ଓ ସୁବିଧା ସୁନିଶ୍ଚିତ କରିବାନେଇ ତତ୍ପର ରହିଛି । ଏଥିସହ ନିଜେ ସଚେତନ ହେବାସହ ଅନ୍ଧ ବିଶ୍ଵାସଠୁ ଦୂରେଇ ରହିବା, ବିଭେଦକୁ ରୋକିବା ,ସୁରକ୍ଷିତ ଓ ସମାନ ସୁଯୋଗ ସୃଷ୍ଟି କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେବା ବୋଲି ଡ. ମିଶ୍ର ଆହ୍ଵାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ ରଥ ଟ୍ରାନ୍ସଜେନଣ୍ଡର ମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ସହଯୋଗମୂଳକ ମନୋଭାବ ରଖିବାକୁ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ବାରିକ , ଲୁଥେରାନ୍ ୱାଲ୍ଡ ସର୍ଭିସ ଇଣ୍ଡିଆ ଟ୍ରସ୍ଟ ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବେବୀ ନାୟକ , ଗୋଷ୍ଠୀ ସଂଯୋଜିକା ଶ୍ରୀମତୀ ସରିତା ମଞ୍ଜରୀ ଦାଶ ଙ୍କ ସମେତ ଟ୍ରାନ୍ସଜେଣ୍ଡର ସମୁଦାୟର ସମସ୍ତ ସଦସ୍ୟା ଉପସ୍ଥିତ ରହିଥିଲେ ଏବଂ ସୁଶ୍ରୀ ଶୀତଲ ବସ୍ତିଆ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଟ୍ରାନ୍ସଜେନଣ୍ଡ ମାନଙ୍କ ଦ୍ଵାରା ଗଠିତ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା ।


