ସିଏମ୍ କିଷାନ ଯୋଜନାରେ ୧.୧୯ ଲକ୍ଷ ଚାଷୀ ଉପକୃତ

ଗୁଣପୁର, (ୱାଇଏନଏସ): ରାୟଗଡ଼ା ଜିଲ୍ଲାରେ ସିଏମ୍ କିଷାନ ଯୋଜନାରେ ମୋଟ ୧ ଲକ୍ଷ ୧୯ ହଜାର ୫୫୫ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଏଥିମଧ୍ୟରୁ ୫୮ ହଜାର ୭ ଜଣ ଜମି ମାଲିକାନା ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବା ବେଳେ ୬୧ ହଜାର ୫୪୮ଟି ଭୂମିହୀନ କୃଷି ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ବିଧାନସଭାରେ ତାରକା ଚିହ୍ନିତ ପ୍ରଶ୍ନ ନଂ ୧୫୧ରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ସରକାର ଏହି ତଥ୍ୟ ରଖିଛନ୍ତି।
କୃଷି ଯୋଜନାରେ ହିତାଧିକାରୀ ଚୟନ, ଆଗ୍ରିଷ୍ଟାକ୍ , ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାରେ ଚାଷୀଙ୍କ ପଞ୍ଜୀକରଣ ଏବଂ ମୃତ ଚାଷୀଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ସୁବିଧା ପ୍ରଦାନ ସମ୍ପର୍କରେ ବିଧାୟକ ଶ୍ରୀ ଗମାଙ୍ଗ ସରକାରଙ୍କୁ ଏକାଧିକ ପ୍ରଶ୍ନ କରିଥିଲେ। ସରକାରଙ୍କ ଉତ୍ତର ଅନୁଯାୟୀ, ଫାର୍ମର ରେଜିଷ୍ଟ୍ରି ନିୟମାବଳୀ ଅନୁସାରେ ଯେଉଁ ଚାଷୀଙ୍କ ନାମରେ ସେ ଚାଷ କରୁଥିବା ଜମିର ରେକର୍ଡ ଅଫ୍ ରାଇଟ୍ସ  ରହିଛି, ସେମାନେ ଫାର୍ମର ଆଇଡି ବା ଚାଷୀ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଯଦି ଜମି ଚାଷୀଙ୍କ ନିଜ ନାମରେ ନଥାଏ, ତେବେ ଆଇନଗତ ଉତ୍ତରାଧିକାରୀମାନେ ସମ୍ପୃକ୍ତ ତହସିଲର ରାଜସ୍ୱ ନିରୀକ୍ଷକ  କାର୍ଯ୍ୟାଳୟରେ ମ୍ୟୁଟେସନ୍ ପାଇଁ ଆବେଦନ କରି ଜମି ରେକର୍ଡ ନିଜ ନାମକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଜମି ରେକର୍ଡ ସଂଶୋଧନ ପରେ ଉତ୍ତରାଧିକାରୀମାନେ ଆଗ୍ରିଷ୍ଟାକ୍ ପୋର୍ଟାଲରେ ପଞ୍ଜୀକରଣ କରି ଆଧାର ଓ ଜମି ବିବରଣୀ ସହ ସଂଯୁକ୍ତ ବାଧ୍ୟତାମୂଳକ ଫାର୍ମର ଆଇଡି ହାସଲ କରିପାରିବେ। ଏହାପରେ ସିଏମ୍ କିଷାନ ଓ ପିଏମ୍ କିଷାନ ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ କରିବାର ସୁଯୋଗ ରହିଛି। ଏଥିପାଇଁ ଆଧାର ଇ-କେୱାଇସି ସମ୍ପୂର୍ଣ୍ଣ କରିବା ସହ ବ୍ୟାଙ୍କ ଖାତାକୁ NPCI/DBT ମାଧ୍ୟମରେ ଆଧାର ସହ ସଂଯୋଗ କରିବା ଆବଶ୍ୟକ। ଏଥିସହ କମନ୍ ସର୍ଭିସ୍ ସେଣ୍ଟର  କିମ୍ବା ସ୍ଥାନୀୟ ବ୍ଲକ୍ କୃଷି କାର୍ଯ୍ୟାଳୟର ସହାୟତାରେ ମଧ୍ୟ ଆବେଦନ କରିହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେବେ ମୃତ ଚାଷୀଙ୍କ ଉତ୍ତରାଧିକାରୀଙ୍କ ନାମରେ ଜମି ରେକର୍ଡ ନଥିବାରୁ ଆଗ୍ରିଷ୍ଟାକ୍, ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାର ସୁବିଧା ପାଇବାରେ ହେଉଥିବା ସମସ୍ୟା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ, ଭୂମିହୀନ ଚାଷୀଙ୍କ ପାଇଁ ସରକାର କେଉଁ କେଉଁ ସୁବିଧା ଯୋଗାଇ ଦେଉଛନ୍ତି, ସେ ସମ୍ପର୍କରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଏହି ଉପଲବ୍ଧ ଦସ୍ତାବିଜରେ ନାହିଁ। ସରକାରୀ ତଥ୍ୟରେ ଭୂମିହୀନ କୃଷି ପରିବାରଙ୍କ ସଂଖ୍ୟା ୬୧ ହଜାରରୁ ଅଧିକ ଥିବା ବେଳେ, ଏହି ବର୍ଗର ଚାଷୀଙ୍କୁ ବିଭିନ୍ନ କୃଷି ସହାୟତା ଓ ସବସିଡି ଯୋଜନାରେ କେତେଦୂର ସାମିଲ କରାଯାଉଛି, ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇ ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ