ଛତ୍ରପୁର ପବ୍ଲିକ ସ୍କୁଲର ୪୭ତମ ବାର୍ଷିକ ଉତ୍ସବ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ପବ୍ଲିକ ସ୍କୁଲର ୪୭ତମ ବାର୍ଷିକ ଉତ୍ସବ ‘ବର୍ଣ୍ଣିକା’ ସ୍ଥାନୀୟ ବିଦ୍ୟାଳୟ ପରିସରରେ ଅତି ଆଡ଼ମ୍ବର ଓ ଉତ୍ସାହର ସହ ଉତ୍କଲ ଦିବସର ପବିତ୍ର ଅବସରରେ ପାଳିତ ହୋଇଯାଇଛି। ଏହି ଗୌରବମୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଏସ.ବି.ଆଇ ଷ୍ଟାଫ୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ଡକ୍ଟର ଚିତ୍ତରଞ୍ଜନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆସୋସିଏସନ୍ର ସଭାପତି ତପନ କୁମାର ପାଲ୍ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ ତ୍ରିପାଠୀ, ସ୍କୁଲ ପରିଚାଳନା କମିଟିର ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଉପସଭାପତି ତଥା ପୂର୍ବତନ ବିଧାୟକ ଅଶୋକ ଚୌଦୁରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ବାର୍ ଆସୋସିଏସନ୍ର ପୂର୍ବତନ ସଭାପତି ପ୍ରଦୀପ ପାଢ଼ୀ ଏବଂ ପ୍ରଧାନ ଶିକ୍ଷୟତ୍ରୀ ମମତା ପଣ୍ଡା ମଞ୍ଚାସୀନ ହୋଇ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଗତ ବର୍ଷ ଜାନୁଆରୀ ମାସରେ ପରଲୋକ ଗମନ କରିଥିବା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଗତ ଜ୍ୟୋସ୍ନା ରାଣୀ ପଟ୍ଟନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ତାଙ୍କ ସ୍ମୃତି ଚାରଣ ପୂର୍ବକ ଉପସ୍ଥିତ ସମସ୍ତ ଅତିଥି ଓ ଅଭିଭାବକ ଦୁଇ ମିନିଟର ନୀରବ ପ୍ରାର୍ଥନା କରିଥିଲେ। ତାଙ୍କ କର୍ମମୟ ଜୀବନ ଓ ବିଦ୍ୟାଳୟ ପ୍ରତି ଅବଦାନକୁ ସମ୍ମାନ ଜଣାଇ ଏକ ସ୍ମୃତି ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ତାଙ୍କରି ସ୍ମୃତିରେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ନିଜ ଶ୍ରେଣୀରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଶ୍ରୀଜଗନ୍ନାଥଙ୍କ ବନ୍ଦନାରୁ ଆରମ୍ଭ ହୋଇଥିବା ଏହି ସନ୍ଧ୍ୟାରେ ବିଭିନ୍ନ ରାଜ୍ୟର ନୃତ୍ୟ କଳା ସହ ପାରମ୍ପରିକ ‘କାଠ ପାଦ’ ନୃତ୍ୟ ଏବଂ ଗଞ୍ଜାମର ପ୍ରସିଦ୍ଧ ‘ରଣପା’ ନୃତ୍ୟ ପରିବେଷଣ କରାଯାଇଥିଲା। ପିଲାମାନଙ୍କର ଏହି ନିଖୁଣ କଳା ପ୍ରଦର୍ଶନ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦ୍ୱାରିକା ପ୍ରସାଦ ପଟ୍ଟନାୟକ ଅତି ଦକ୍ଷତାର ସହ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ଏହି ଭବ୍ୟ ଉତ୍ସବ ଶେଷ ହୋଇଥିଲା । ବିଦ୍ୟାଳୟର ଏହି ୪୭ ବର୍ଷର ସଫଳ ଯାତ୍ରା ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି।


