ହାଟପଦାରେ ବଜାର ଗୃହ ନିର୍ମାଣ ପାଇଁ ଗଛକଟା !

ଆସିକା  (ୱାଇଏନ୍‍ଏସ୍‍) : ଆସିକା ସହରର ଫୁସ୍‍ଫୁସ୍‍ କୁହାଯାଉଥିବା ହାଟପଦାରେ ଅତ୍ୟାଧୁନିକ ବଜାର ଗୃହ ନିର୍ମାଣ ସକାଶେ ବଡବଡ ଗଛକୁ କଟାଯାଉଥିବା ଘଟଣାକୁ ନେଇ ପରିବେଶବିତ୍‍ ଓ ସାମାଜିକ କର୍ମୀଙ୍କ ମହଲରେ ଗଭୀର ଅସନ୍ତୋଷ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ନେତୃତ୍ୱରେ ବହୁ ସଚେତନ ନାଗରିକ ଜାତୀୟ ସବୁଜ ଟ୍ରିବ୍ୟୁନାଲ୍‍ (ଏନ୍‍ଜିଟି)ର ଦୃଷ୍ଟି ଆକର୍ଷଣ କରିବା ଲାଗି ସଜବାଜ ହେଉଥିବା ଜଣାପଡିଛି । ମା ପାଇଁ ଗଛଟିଏ, ବୃକ୍ଷ ହିଁ ଜୀବନ ଏଭଳି ଅନେକ କଥା କୁହାଯାଉଛି । ଚାରାରୋପଣ ଓ ସେଗୁଡିକର ସୁରକ୍ଷା ପାଇଁ ପ୍ରବଳ ଅର୍ଥ ବି ଖର୍ଚ୍ଚ କରାଯାଉଛି । ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ହାଟପଦା ଅଞ୍ଚଳର ଦୃଶ୍ୟକୁ ଦେଖିଲେ ସରକାରଙ୍କ ବୃକ୍ଷରୋପଣ ଭଳି ମହତ୍‍ ପ୍ରୟାସ କାର୍ଯ୍ୟକ୍ରମକୁ ପରିହାସ କରାଯାଉଥିବା ଚର୍ଚ୍ଚା ହେଉଛି । ଦୀର୍ଘ ବର୍ଷ ତଳେ ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ହାଟପଦା ପରିସରରେ ଅଶ୍ୱତଥ୍‍ ଓ ବଟବୃକ୍ଷ ଥିଲା ବେଳେ ପଥିକମାନେ ଗଛ ତଳେ ବସି କ୍ଳାନ୍ତି ଅନୁଭବ କରୁଥିଲେ ଏବଂ ଗଛଗୁଡିକ ପରିବେଶକୁ ଅମ୍ଳଜାନ୍‍ ବି ଯୋଗାଇ ଦେଇଆସୁଥିଲା । ଆସିକା ଅଞ୍ଚଳରେ ଖରାରର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ସାଂପ୍ରତିକ ପରିସ୍ଥିତିରେ ବଜାର ଗୃହ ନିର୍ମାଣ ପାଇଁ ବଡ ବଡ ବୃକ୍ଷକୁ କଟାଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ହାଟପଦା ପରିସରରେ ଥିବା ବିରାଟ ବୃକ୍ଷଗୁଡିକ କାଟିବା ପୂର୍ବରୁ ବନବିଭାଗ ଠାରୁ ଅନୁମତି ଅଣାଯାଇଛି କି ନାହିଁ ଏବଂ ପରିବେଶର ସୁରକ୍ଷା ପ୍ରତି ଧ୍ୟାନ ନଦେଇ ଗଛକଟା ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଦୃଢ ଦାବୀ କରିଛନ୍ତି । ହାଟପଦା ପରିସରରେ ଥିବା ବିରାଟ ବୃକ୍ଷ ଗୁଡିକରେ ନାନା ପ୍ରକାର ପକ୍ଷୀଙ୍କ ଆବାସସ୍ଥଳୀ ଥିଲା ବେଳେ ବର୍ତ୍ତମାନ ଗଛଗୁଡିକୁ କଟା ଯାଉଥିବା ଯୋଗୁଁ ପକ୍ଷୀମାନେ ଆବାସ ହରାଇ ବସିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏପ୍ରିଲ ମାସ ଆରମ୍ଭରୁ ଆସିକା ଅଞ୍ଚଳରେ ଆରମ୍ଭ ହୋଇଗଲାଣି ଅସମ୍ଭାଳ ତାତି । ଖରା ଓ ଗରମରୁ ରକ୍ଷା ପାଇବା ପାଇଁ ପଥିକମାନେ ହାଟପଦା ପରିସରରେ ଥିବା ବିରାଟ ବୃକ୍ଷ ତଳେ ବସି ଆଶ୍ୱସ୍ତ ଅନୁଭବ କରୁଥିଲେ । ଅତ୍ୟାଧୁନିକ ବଜାର ଗୃହ ନିର୍ମାଣ ପାଇଁ ହାଟପଦାରେ ଲାଗିଥିବା ବିରାଟ ଗଛ ଗୁଡିକୁ କାଟି ପ୍ରାକୃତିକ ସବୁଜିମାକୁ ନଷ୍ଟ କରିବା ଲାଗି ଚାଲିଥିବା ପ୍ରୟାସକୁ ସାଧାରଣରେ ନାପସନ୍ତ କରାଯାଉଥିବା ଦେଖିବାକୁ ମିଳୁଛି । ବୃକ୍ଷରୋପଣ କରି ସବୁଜିମା ସୃଷ୍ଟି କରିବା ପରିବର୍ତ୍ତେ ଗଛକାଟି ପରିବେଶ ବିରୋଧୀ କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଛି । ଆସିକା ସହରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଥିଲା ବେଳେ ଉନ୍ନତି ନାମରେ ପ୍ରକୃତିକୁ ବଳି ପକାଇ ଗଛକଟା ଘଟଣାକୁ ନେଇ ପରିବେଶବିତ୍‍ଙ୍କ ମହଲରେ ଗଭୀର ଉଦ୍‍ବେଗ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ନୀତିନିୟମକୁ ଆଧାର କରି ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ହାଟପଦାରେ ଗଛ କଟାଯାଉଛି କି ନାହିଁ ତାହାର ଏକ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ