ଭୀମ ଆର୍ମି ସଦସ୍ୟଙ୍କୁ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକ ଓ ଥାନା ଘେରାଉ
ହାଟଡିହି (ଓ୍ବାଇଏନଏସ): ଭୀମ ଆର୍ମି ସଦସ୍ୟଙ୍କୁ ଆକ୍ରମଣ ହୋଇଥିବା ପ୍ରତିବାଦରେ ଆଜି ଭୀମ ଆର୍ମିର ସଦସ୍ୟମାନେ ଛେନାପଦି ଛକରେ ରାସ୍ତାରୋକ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଭୀମ ଆର୍ମି ସଦସ୍ୟ ଅମ୍ଲାନ କୁମାର ଜେନା ଆଗାମୀ ୧୪ ତାରିଖରେ ହେବାକୁ ଥିବା ଆମ୍ବେଦକରଙ୍କ ଜୟନ୍ତୀ ପାଳନ ପାଇଁ ଫ୍ଲେକ୍ସ ତିଆରି କରୁଥିବା ବେଳେ ପୂର୍ବତନ ବିଧାୟକ ପାର୍ଥୀଙ୍କ ଡ୍ରାଇଭର ସମେତ କିଛି ବିଜେପି କର୍ମୀ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏହାକୁ ନେଇ ଅମ୍ଲାନ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁ ନଥିବା ଅଭିଯୋଗ କରି ଭୀମ ଆର୍ମିର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନାଙ୍କ ନେତୃତ୍ୱରେ ରଶ୍ମି ରଞ୍ଜନ ଜେନା, ପ୍ରବୀନ ଜେନା, ରୁଦ୍ରନାରାୟଣ ଜେନା, ଜଗତାନନ୍ଦ ଜେନା, ବୁଦ୍ଧଦେବ ଜେନା, ଜଗା ଜେନା, ବିଦ୍ୟାଧର ଜେନାଙ୍କ ସମେତ ଅନେକ ସଦସ୍ୟ ଛେନାପଦି ଛକରେ ପ୍ରତିବାଦ କରି ରାସ୍ତାରୋକ କରିଥିଲେ। ଏପରିକି ବିଜେପି ବିରୁଦ୍ଧରେ ନାରାବାଜି ଦେଇଥିଲେ। ରାସ୍ତାରେ ଅନେକ ଗାଡି ଅଟକି ରହିଥିବା ବେଳେ ଯାତାୟାତ ବନ୍ଦ ହୋଇଯାଇଥିଲା। ନନ୍ଦିପଦା ଥାନା ଇନ୍ସପେକ୍ଟର ବଳିଆ ବାରିକ ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେପି ମହିଳା ମୋର୍ଚ୍ଚାର ତୃପ୍ତିମୟୀ ଜେନା କହିଛନ୍ତି ଯେ ଆମ୍ବେଦକର ଙ୍କୁ ସାରା ଭାରତ ସମ୍ମାନ ଦିଏ। କିନ୍ତୁ ଦୁଇଜଣ ଯୁବକ ଏକ ଦୋକାନ ଭିତରେ ବ୍ୟକ୍ତିଗତ ଆକ୍ରୋଶରୁ ନିଜ ନିଜ ଭିତରେ ଗଣ୍ଡଗୋଳ ଲାଗିଲେ, ତାକୁ ରାଜନୈତିକ ରୂପ ଦେଇ ଅତି ରଞ୍ଜିତ କରି ବିଜେପି ବିରୁଦ୍ଧରେ ନାରାବାଜି ଦେବାକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ସେହିପରି ବିଜେପି ନେତା ହରମୋହନ ଶାସିନି ଭୀମ ଆର୍ମି ସଦସ୍ୟ ମାନଙ୍କ ବିଜେପି ବିରୁଦ୍ଧରେ ଏପରି ମିଥ୍ୟା ଅପପ୍ରଚାରକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏ ସମ୍ପର୍କରେ ଥାନା ଥାନା ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏ ଗଣ୍ଡଗୋଳ ଘଟଣାରେ ଉଭୟ ପକ୍ଷରୁ ଦୁଇଟି ଅଭିଯୋଗ ପାଇବା ପରେ ଥାନା କେସ ନଂ ୧୩୨ ଓ ୧୩୩ ଦୁଇଟି ମାମଲା ରୁଜୁ କରା ଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି।


