ଶାଳିଜଙ୍ଗା ମହିମା ଆଶ୍ରମରେ ପ୍ରବେଶ କଲେ ବାବା ଗଦାଧର ଦାସ

ନାଉଗାଁ, (ଓ୍ବାଇଏନଏସ): ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମରେ ଦୀର୍ଘ ୨୧ ସପ୍ତାହ ପରେ କଡା ସୁରକ୍ଷା ବଳୟ ମଧ୍ୟରେ ବାବା ଗଦାଧର ଦାସ ଓ ରୀନା ମାଆ ମଙ୍ଗଳବାର ଆଶ୍ରମ ମଧ୍ୟରେ ପ୍ରବେଶ କରିଛନ୍ତି। ଏସଡିପିଓ ଆଜିଙ୍କ୍ୟ ମାଣେ, ଥାନାଧିକାରୀ ଦେବାଶୀଷ ପଣ୍ଡା ଓ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡାଙ୍କ ସମେତ ଫୋଲିସ ଫୋର୍ସ ସହାୟତାରେ ଉଭୟ ଆଶ୍ରମରେ ପହଂଚିଥିଲେ। ଆଶ୍ରମର ସର୍ତ ଅନୁସାରେ ବାବା ଗଦାଧର ଦାସଙ୍କୁ ଉପର ମହଲା ଓ ରୀନା ମା’ ଙ୍କୁ ତଳ ମହଲାରେ ଗୋଟିଏ ଲେଖାଁଏ କୋଠରୀ ପ୍ରଦାନ କରାଯାଇଥିଲା। ଜମିଜମା ହଡପ ବିବାଦରେ ଛନ୍ଦି ହେବା ସହିତ ଗ୍ରାମବାସୀ ଓ ଅନ୍ତେବାସୀଙ୍କ ବିରୋଧ ଯୋଗୁ ଉଭୟ ଦୀର୍ଘ ଦିନ ହେବ ଆଶ୍ରମର ବାହାରେ ରହୁଥିଲେ। ଆଶ୍ରମରେ ଶାନ୍ତି ବଜାୟ ରଖିବା ପାଇଁ ୨୪ଘଂଟିଆ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପୋଲିସ ଫୋର୍ସ ମୃତୟନ କରାଯିବ ବୋଲି ଏସଡିପିଓ ମାଣେ ସୂଚନା ଦେଇଛନ୍ତି। ସେହିପରି ଆସନ୍ତାକାଲି ଠାରୁ ଜମିଜମାର ମାପ ଚୁପ ମଧ୍ୟ କରାଯିବ। ବାବା ଗଦାଧର ଦାସ ଓ ରୀନା ମା’ ଆଶ୍ରମରେ ପ୍ରବେଶ ପରେ ଆଶ୍ରମର ଶ୍ରଦ୍ଧାଳୁଙ୍କ ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଅକ୍ଷୟ କୁମାର ମହାପାତ୍ର,ବାବାଜୀ ଚରଣ ମୁଦୁଲି,ବିରବର ମୁଦୁଲି,ଭରତ ମଲିକ, ହାଡିବନ୍ଧୁ ରାଉତ, ଉମେଶ ମହାପାତ୍ର ଆଦିଙ୍କ ସ୍ୱାକ୍ଷରିତ ଉକ୍ତ ଦାବିପତ୍ରରେ ବାବା ଗଦାଧର ଦାସ ଓ ରୀନା ମା’ଙ୍କୁ ଯେଉଁ କୋଠରୀ ପ୍ରଦାନ କରାଯିବ ସେହି କୋଠରୀ ବ୍ୟତିତ ଅନ୍ୟ କୋଠରୀକୁ ପ୍ରବେଶ କରିପାରିବେ ନାହିଁ। ଆଶ୍ରମର ଅନ୍ତେବାସୀ ଯେଉଁ ଖାଦ୍ୟ ସେବନ କରିବେ ସେହି ଖାଦ୍ୟକୁ ଊଭୟ ସେବନ କରିବେ। ଆଶ୍ରମ ଛାଡି ବାବା ଗଦାଧର ଦାସ ୨୦୨୫ ନଭେମ୍ବର ୧୧ରୁ ଯାଇଥିବା ବେଳେ ଆଶ୍ରମର ଅନ୍ତେବାସୀ ହେମନ୍ତ ଦାସ ନିତିକାନ୍ତି କରୁ ଅଛନ୍ତି। ତେଣୁ ପୂର୍ବବତ ହେମନ୍ତ ନିତିକାନ୍ତି କରିବେ। ଅନ୍ତୋବାସୀଙ୍କୁ ଉଭୟ ଅଶ୍ଳିଳ ଭାଷା କହିବେ ନାହିଁ କିମ୍ବା ନିଜର ଶାରିରୀକ ସେବା ପାଇଁ ବ୍ୟବହାର କରିପାରିବେ ନାହିଁ। ଆଶ୍ରମକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ କୌଣସି ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କିମ୍ବା ନିଜ ସପକ୍ଷକୁ ନେବେ ନାହିଁ। ୨୦୨୬ ଅପ୍ରେଲ ୭ ଠାରୁ ଆଶ୍ରମର ଆୟବ୍ୟୟ ଉପରେ ଗଦାଧର ଦାସ ଓ ରୀନା ମା’ ହସ୍ତକ୍ଷେପ କରିବେ ନାହିଁ। ଟ୍ରଷ୍ଟ ଗଠନ ହେବା ପର୍ଯ୍ୟନ୍ତ ଶାଳିଜଙ୍ଗା ଗ୍ରାମ୍ୟ କମିଟି ଏହାର ତଦାରଖ କରିବେ। ଗଦାଧର ଦାସ ଓ ରୀନା ମା’ଙ୍କର ଭାଇ, ବନ୍ଧୁ, ସଂପର୍କିୟ ଆଶ୍ରମରେ ରାତ୍ରଯାପନ କରି ପାରିବେ ନାହିଁ ବୋଲି ଦାବି ରଖାଯାଇଛି। ଏହି ଦାବିପତ୍ରର ନକଲ କପି ଆରକ୍ଷୀ ଅଧୀକ୍ଷକ ଜଗତସିଂହପୁର,ଜିଲାପାଳ ଜଗତସିଂହପୁରଙ୍କ ଅବଗତି ନିମନ୍ତେ ପଠାଯାଇଛି। ସୂଚନାଯୋଗ୍ୟ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ସୋମବାର ଥାନା ପକ୍ଷରୁ ପ୍ରଶସାନିକ ଅଧିକାରୀ,ଶାନ୍ତି କମିଟିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ