ମରଣାନ୍ତଙ୍କ ଆକ୍ରମଣ ଘଟଣା:ପରିବାରର ସୁରକ୍ଷା ଦାବିରେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ମାର୍ଶାଘାଇ ଥାନା ପୋଲିସର ନିଷ୍କ୍ରିୟତା ଓ ପରିବାରର ସୁରକ୍ଷା ଦାବିରେ କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମାନସରଞ୍ଜନ ଆଚାର୍ଯ୍ୟ। ତାଙ୍କୁ ସମର୍ଥନ ଜଣାଇ ଅନ୍ୟମାନେ ମଧ୍ୟ ଏହି ଧାରଣାରେ ବସିରହିଛନ୍ତି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ନଳିନୀ କୁମାର ଆଚାର୍ଯ୍ୟଙ୍କ ପୁତ୍ର ମାନସରଞ୍ଜନ ଆଚାର୍ଯ୍ୟ ସେହି ପଞ୍ଚାୟତରେ ଚାଲିଥିବା ରାସ୍ତା ମରାମତି, ପୋଖରୀ ସଫେଇ, ଓମଫେଡ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇ ଦୁର୍ନୀତି କରାଯାଉଥିବା ଏବଂ ଓପିିଟିସିଏଲର ସିମେଣ୍ଟ ଓ ରଡ ଚୋରୀ ଭଳି ଘଟଣାର ଚୁପ ରହିବାକୁ ବାଧ୍ୟ କରି ଏକ ରାଜନୈତିକ ଗୋଷ୍ଠିର କେତେକ ଯୁବକ ସଙ୍ଘବଦ୍ଧ ହୋଇ ଚଳିତମାସ ୧୭ତାରିଖରେ ମାନସରଞ୍ଜନଙ୍କୁ ଧମକ ଦେବା ସହ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମାନସରଞ୍ଜନଙ୍କ ବାମହାତଟି ଭାଙ୍ଗିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକ ଓ ସାନଭାଇର ସହାୟତାରେ ମାନସରଞ୍ଜନ ପ୍ରଥମେ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏସମ୍ପର୍କରେ ମାନସରଞ୍ଜନ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେବି ମାର୍ଶାଘାଇ ଥାନା ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିଲା। ସେହିଦିନ ମାନସରଞ୍ଜନ ୧୧୨କୁ କଲ କରି ସମସ୍ତ କଥା ଜଣାଇଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ପୋଲିସର ନିଷ୍କ୍ରିୟତା ଯୋଗୁଁ ଭବିଷ୍ୟତରେ ମାନସରଞ୍ଜନଙ୍କ ପରିବାରଜନଙ୍କ ଜୀବନହାନୀ ହେବାର ସମ୍ଭାବନା ରହିଥିବାରୁ ପରିବାରବର୍ଗଙ୍କୁ ସୁରକ୍ଷା ଯୋଗାଇଦେବା ସହିତ ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ସେ ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଭାବେ ନିବେଦନ କରିଥିଲେ। ଏହାପରେବି ମାର୍ଶାଘାଇ ଥାନା ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ଏସପିଙ୍କୁ ଭେଟି ଏସମ୍ପର୍କରେ ଲିଖିତ ଭାବେ ଜଣାଇବା ସହ ତାଙ୍କ ପରିବାରୁ ସୁରକ୍ଷା ଯୋଗାଇଦେବାକୁ ପୂର୍ବରୁ ନିବେଦନ କରିଥିଲେ। ଯଦି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସେ ପରିବାରଜନଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଏସପିଙ୍କୁ ଲିଖିତ ଭାବେ ଜଣାଇଥିଲେ। ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆନଯିବାରୁ ସେ ବାଧ୍ୟ ହୋଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ। ତାଙ୍କୁ ସମର୍ଥନ କରି କେତେକ ସାମାଜିକ କର୍ମୀ ଓ ସୂଚନା ଅଧିକାର ଅଭିଯାନର କର୍ମକର୍ତ୍ତାମାନେ ମଧ୍ୟ ଧାରଣାରେ ସାମିଲ ହେଲେ। କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡା ମାନସଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ଖୁବଶୀଘ୍ର ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରତିଶୃତି ଦେବା ପରେ ମାନସ ଧାରଣାକୁ ପ୍ରତ୍ୟାହାର କରିନେଇଛନ୍ତି। ପୋଲିସ ଯଦି ପଦକ୍ଷେପ ଗ୍ରହଣ ନକରେ ତେବେ ପୁନର୍ବାର ନ୍ୟାୟ ପାଇବା ନିମନ୍ତେ ସେ ଧାରଣା ଦେବେ ବୋଲି ମାନସ କହିଛନ୍ତି।


