ଶିକ୍ଷାବିଭାଗର ବିକଳ ଚିତ୍ର: ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬ ଟି କ୍ଲାସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି। ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ ଗ୍ରାମ ରେ ଗତ ୧୯୫୮ ମସିହାରୁ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ର ଶିଶୁ ବାଟିକା ସମେତ ୫ ଟି ଶ୍ରେଣୀରେ ଆଖପାଖ ପ୍ରତାପୁର,ଭୀମପୁର ପଲ୍ଲୀ ଗ୍ରାମ ସମେତ ଶ୍ୟାମ ସୁନ୍ଦରପଲ୍ଲୀ ଗ୍ରାମର ଉପର ସାହି, ମଝି ସାହି ଓ ତଳସାହି ର ୬୨ ଛାତ୍ରୀ ଛାତ୍ର ପାଠ ପଢୁଥିବା ବେଳେ କେବଳ ଗୋଟିଏ ଶ୍ରେଣୀଗୃହ ରହିଛି।ଉକ୍ତ ଶ୍ରେଣୀଗୃହ ରେ ପ୍ରଧାନଶିକ୍ଷକ ଙ୍କ କାର୍ଯ୍ୟାଳୟ ସମେତ ମଧ୍ୟାହ୍ନ ଭୋଜନ ଚାଉଳ ରହୁଛି।ଗୋଟିଏ ଶ୍ରେଣୀଗୃହ ରେ ୬ ଟି ଶ୍ରେଣୀର ପିଲାଙ୍କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମର ମଲ୍ଲିକ  ଏବଂ ଅନ୍ୟଜଣେ ସହକାରୀ ଶିକ୍ଷକ ସୁରେଶ ମଲ୍ଲିକ ପାଠ ପଢାଉଛନ୍ତି।ଦୀର୍ଘବର୍ଷ ହେଲା ଅଭିଭାବକ ବୃନ୍ଦ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଶିକ୍ଷା ବିଭାଗ କିମ୍ବା ବ୍ଲକ ପ୍ରଶାସନ ସେଥିପ୍ରତି ଆଦୌ କର୍ଣ୍ଣପାତ କରୁନଥିବା ଅଭିଭାବକ ବୃନ୍ଦ ଅଭିଯୋଗ କରିଛନ୍ତି।ପ୍ରତିବାଦରେ ସ୍କୁଲ ପରିଚାଳନା କମିଟି ସଭାପତି ରଜନୀକାନ୍ତ ମଲ୍ଲିକ ଙ୍କ ନେତୃତ୍ୱରେ ଗୁରୁବାର ସକାଳୁ ଛାତ୍ରୀ ଛାତ୍ର ଓ ବହୁ ସଂଖ୍ୟକ ଗ୍ରାମବାସୀ, ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରୀ ଛାତ୍ର ମାନେ ଆମକୁ ପୋଷାକ,ଅଣ୍ଡା, ମଧ୍ୟାହ୍ନଭୋଜନ ନଦିଆଯାଉ ପଛେ ଆବଶ୍ୟକ ଶ୍ରେଣୀଗୃହ ଯୋଗାଇ ଦିଆଯାଉ ବୋଲି ସ୍ଳୋଗାନ ଦେଇ ସ୍କୁଲ ସମ୍ମୁଖରେ ଖରାରେ  ବସି ରହି ଦୀର୍ଘ ସମୟ ଆନ୍ଦୋଳନ ଚଳାଇଥିଲେ।  ଖବରପାଇ ଦିଗପହଣ୍ଡି ବ୍ଲକ ଅତିରିକ୍ତ ବିଡ଼ିଓ ଉମେଶ କୁମାର ସେଠୀ,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଅଶୋକ କୁମାର ଶତପଥି, ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ ମହାପାତ୍ର,ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ ପ୍ରମୁଖ ସ୍କୁଲ ରେ ପହଞ୍ଚି ଆନ୍ଦୋଳନକାରୀ ଅଭିଭାବକ ମାନଙ୍କ ସହ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଲିଖିତ ଭାବେ ନ ଜଣାଇବା ପର୍ଯ୍ୟନ୍ତ ଆନ୍ଦୋଳନ ରୁ ହଟିବେ ନାହିଁ ବୋଲି ଜିଦ୍ ରେ ଅଟଳ ରହିଥିଲେ।ପରେ ଅଧିକାରୀ ବୃନ୍ଦ ଆସନ୍ତା ୭ ଦିନ ମଧ୍ୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଟେଣ୍ଡର କରାଯିବ।ଟେଣ୍ଡର ସରିବା ପରେ ୨/୩ ମାସ ଅବଧି ମଧ୍ୟରେ ଶ୍ରେଣୀଗୃହ ନିର୍ମାଣ ସରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ଜଣାପଡିଛି।ଏନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମର ମଲ୍ଲିକ ଙ୍କୁ ପଚାରିବାରୁ ସ୍କୁଲରେ ଅତିରିକ୍ତ ଶ୍ରେଣୀଗୃହ ନଥିବାରୁ ଶିକ୍ଷାଦାନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ଘୋର ଅସୁବିଧା ର ସାମ୍ନା କରିବାକୁ ପଡୁଛି। ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଙ୍କ ପାଇଁ ଉଦ୍ଦିଷ୍ଟ ଟଏଲେଟ୍ କୁ ସମସ୍ତେ ବ୍ୟବହାର କରୁଛନ୍ତି।ଛାତ୍ରୀ ଙ୍କ ପାଇଁ ସ୍ବତନ୍ତ୍ର ଟଏଲେଟ୍ ନାହିଁ। ମଧ୍ୟାହ୍ନ ଭୋଜନ ରୋଷେଇ ଗୃହ ଭଗ୍ନ ଅବସ୍ଥାରେ ପଡ଼ିରହିଛି।ସ୍କୁଲ ପାଚେରୀ ଭାଙ୍ଗି ଯାଇଛି। ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ  ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ପଶିଯାଉଥିବା ସେ କହିଛନ୍ତି।   ଅତିରିକ୍ତ ବିଡ଼ିଓ ଙ୍କୁ ଯୋଗାଯୋଗ କରିବାରୁ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୧୮ ଲକ୍ଷ ୩୩ ହଜାର ଟଙ୍କା ମଞ୍ଜୁର ହୋଇଛି। ଖୁବଶୀଘ୍ର ଟେଣ୍ଡର କରାଯାଇ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ