ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଲୋକକଳା ପାଇଁ ଦିନଟିଏ
ବାଲେଶ୍ଵର, (ସରୋଜ ପଣ୍ଡା) : ଆଜି ହେଉଛି ଓଡ଼ିଆ ପକ୍ଷ ୨୦୨୬ର ଦଶମ ଦିବସ । ଏହି ଅବସରରେ ଦିବା ୧୦.୦୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ଓ ବ୍ଲକ ପ୍ରଶାସନ, ବାଲେଶ୍ଵର ସଦରଙ୍କ ମିଳିତ ଆନୁକୂଲ୍ୟରେ ସଦର ବ୍ଲକ ପ୍ରାଙ୍ଗଣରେ “ଲୋକକଳା ପାଇଁ ଦିନଟିଏ” ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ମହାସମାରୋହରେ ପାଳିତ ହୋଇଯାଇଅଛି । ସର୍ବ ପ୍ରଥମେ ସଭା ଆରମ୍ଭରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ସମୂହ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ମାନ୍ୟବର ବିଧାୟକ ସଦରଙ୍କ ପ୍ରତିନିଧି ଶ୍ରୀଯୁକ୍ତ ହରେନ୍ଦ୍ର କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମାୟାଧର ମଲ୍ଲିକ ଯୋଗଦାନ କରି ଲୋକକଳା ଦିବସ ସମ୍ବନ୍ଧରେ ଆଲୋକପାତ କରିବା ସହିତ ହଜିଯାଉଥିବା ଲୋକକଳାକୁ ବଞ୍ଚାଇ ରଖିବା ପାଇଁ କଳାକାର ମାନଙ୍କୁ ଅନୁପ୍ରାଣିତ କରିଥିଲେ । ଏହା ପରେ ଅତିଥି ମାନେ ସଦର ବ୍ଲକ ଅଞ୍ଚଳର ୨୫ ଜଣ ପ୍ରମୁଖ ଲୋକ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ସ୍ଥାନୀୟ ଲୋକକଳା ଅନୁଷ୍ଠାନ ଶୀତଳା ମାତା ସଂକୀର୍ତ୍ତନ ଦଳ, ବାବା ଭଲେଶ୍ଵର ପାଲା ପରିଷଦ, ମା ବାସନ୍ତୀ ଚଢ଼େୟା ନାଟ ର କଳାକାର ମାନଙ୍କ ଦ୍ଵାରା ସଂକୀର୍ତ୍ତନ, ପାଲା ଓ ଚଢ଼େୟା ନାଟ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଦର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଶ୍ରୀମତୀ ମଧୁଛନ୍ଦା ଗିରି ପରିଚାଳନା କରିଥିଲେ ।


