ଆରପିଏଫ ର ‘ଅପରେସନ୍ ନନ୍ହେ ଫରିସ୍ତେ’ ଅଭିଯାନ: ୧୨ ନାବାଳକ ଉଦ୍ଧାର
କଟକ, (ଓ୍ବାଇଏନଏସ): ରେଳବାଇ ସୁରକ୍ଷା ବଳ- ଆରପିଏଫ ର ‘ଅପରେସନ୍ ନନ୍ହେ ଫରିସ୍ତେ’ ଅଭିଯାନ ମାଧ୍ୟମରେ କଟକ ରେଳ ଷ୍ଟେସନରୁ ୧୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମାଗଣା ଶିକ୍ଷା ଓ ରହିବା ଖାଇବାର ପ୍ରଲୋଭନ ଦେଖାଇ ଏହି ପିଲାମାନଙ୍କୁ ବିହାରରୁ ଓଡ଼ିଶା ଅଣାଯାଇଥିବା ଜଣାପଡ଼ିଛି । ସକାଳ ପ୍ରାୟ ୧୦:୧୫ ସମୟରେ ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରୁ ତାମିଲନାଡୁର ତିରୁଚିରାପଲ୍ଲୀ (ଏନଜିପି-ଟିପିଜେ ଅମୃତ ଭାରତ ଏକ୍ସପ୍ରେସ) ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ କଟକ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା । ସେହି ସମୟରେ ଟ୍ରେନର ପଛ ଆଡ଼କୁ ଥିବା ଏକ ସାଧାରଣ ବଗିରୁ ୧୨ ଜଣ ନାବାଳକ ଓହ୍ଲାଇଥିବା ଆରପିଏଫ୍ କର୍ମଚାରୀମାନେ ଲକ୍ଷ୍ୟ କରିଥିଲେ । ପିଲାମାନଙ୍କ ଗତିବିଧି ସନ୍ଦେହଜନକ ମନେ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା ପିଲାମାନେ ବିହାରର ଅରରିଆ ଜିଲ୍ଲାର ବୋଲି ଚିହ୍ନଟ ହୋଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ସେମାନଙ୍କୁ ଓଡ଼ିଶାରେ ମାଗଣା ମଦ୍ରାସା ଶିକ୍ଷା ସହିତ ରହିବା ଓ ଖାଇବାର ସୁବିଧା ଯୋଗାଇଦେବାକୁ କହି ପ୍ରଲୋଭିତ କରିଥିଲେ । ସେହି ବ୍ୟକ୍ତି ଜଣକ ସେମାନଙ୍କୁ କଟକ ରେଳ ଷ୍ଟେସନରେ ଓହ୍ଲାଇବାକୁ କହିଥିଲେ ଏବଂ ସେଠାରେ ସେମାନଙ୍କୁ ନେବାକୁ କେହି ଜଣେ ଆସିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଷ୍ଟେସନରେ ସେହି ପିଲାମାନଙ୍କୁ ନେବା ପାଇଁ କେହି ପହଞ୍ଚି ଆସିନଥିଲେ । ରେଳବାଇ ସୁରକ୍ଷା ବଳ- ଆରପିଏଫ୍ ପୋଷ୍ଟ କଟକ ପକ୍ଷରୁ ସମସ୍ତ ୧୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଖାଦ୍ୟ ଓ ପାନୀୟ ଜଳ ଆଦି ଯୋଗାଇ ଦେଇଥିଲା । ଏହି ଘଟଣା ସମ୍ପର୍କରେ ଶିଶୁ ସହାୟତା କେନ୍ଦ୍ର, ଜି.ଆର.ପି ଏବଂ ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରାଯାଇଛି । ପିଲାମାନଙ୍କ ପରିବାର ସହିତ ମଧ୍ୟ ଯୋଗାଯୋଗ କରାଯାଇଛି । ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଶେଷ ହେବା ପରେ, ସେମାନଙ୍କର ଯତ୍ନ ଓ ଥଇଥାନ ପାଇଁ ସମସ୍ତ ୧୨ ଜଣ ନାବାଳକଙ୍କୁ ଚାଇଲ୍ଡଲାଇନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।


