ଈଶାଣୀ ବୈଶାଖୀ ମହୋତ୍ସବ ଉଦ୍ଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା): “ଗୋଟିଏ ଦେଶର ବିକାଶ, ସେହି ଦେଶର ବ୍ୟକ୍ତିସତ୍ତାଙ୍କ ଉପରେ ନିର୍ଭର କରିଥାଏ। ଏକତା ହିଁ ସେହି ଦେଶର ପ୍ରଗତି ପାଇଁ ଜନଗଣଙ୍କୁ ଲୋଡ଼ିଥାଏ। ଯେତେଦିନ ଯାଏଁ ମୁଁ ବଂଚିଥିବି ଈଶାଣୀ ଲବଣ ସତ୍ୟାଗ୍ରହ ମିନି ଷ୍ଟାଡ଼ିୟମ୍ର ସର୍ବାଙ୍ଗୀନ ପ୍ରଗତି ପାଇଁ ମୋର ସେବା ଅବ୍ୟାହତ ରହିବ” ବୋଲି ଏକାଦଶ ସଂସ୍କରଣ ବୈଶାଖୀ ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ଉଦ୍ଘାଟନ କରି ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣାର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ନିଜର ପ୍ରତିଶ୍ରୁତି ରଖିଥିଲେ। ଏତଦ୍ବ୍ୟତୀତ ସ୍ୱତନ୍ତ୍ର ଅତିଥିମାନଙ୍କ ଭିତରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଉପସ୍ଥିତ ରହି ଈଶାଣୀ ଖେଳପଡ଼ିଆର ସାମଗ୍ରୀକ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ସହଯୋଗ କରାଇବା ପାଇଁ ସମ୍ମତିପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି-କଥାକାର ସୁବକ୍ତା ପ୍ରଶାନ୍ତ ଦାସ ଶ୍ରଦ୍ଧାପୂର୍ଣ୍ଣ ସଂପର୍କ ଦ୍ୱାରା ହିଁ ‘ବସୁଧୈବ କୁଟୁମ୍ବକମ୍’ ବାଣୀର ଯଥାର୍ଥତା ପାଳନ କରିବା ପାଇଁ ଈଶାଣୀ ଲବଣ ସତ୍ୟାଗ୍ରହ ଗ୍ରାମାଞ୍ଚଳର ଜନଗଣଙ୍କୁ ଉତ୍ସାହ-ଉଦ୍ଦୀପନା ପ୍ରଦାନ କରିଥିଲେ। ସାରଗାଁ ଗ୍ରାମପଞ୍ଚାୟତ ସମିତି ସଦସ୍ୟ ସୂର୍ଯ୍ୟ କୁମାର ମିଶ୍ର, ଗୁଡ଼୍ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ଲମ୍ବୋଦର ପ୍ରଧାନ ଏବଂ ମା’ ଭାରତୀ ଗୋ ସେବା କେନ୍ଦ୍ର ବାଲେଶ୍ୱରର ଜୀତେନ୍ଦ୍ର ସ୍ୱାଇଁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତି ଏବଂ ସାଧାରଣ ସଂପାଦକ ଭାଗବତ ସାହୁ ପ୍ରାରଂଭିକ ସୂଚନା ଦେବା ସହ ସଂପାଦକୀୟ ବିବରଣୀ ରଖିଥିଲେ। ଉପସଭାପତି କବି ଶ୍ରୀଦେବ ସମଗ୍ର କାର୍ଯ୍ୟକ୍ରମର ଉଦ୍ଘାଟନୀ ସନ୍ଧ୍ୟାକୁ ନିଷ୍ପାଦନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପଣ୍ଡିତ ଅଜୟ କୁମାର ପଣ୍ଡାଙ୍କ ଦ୍ୱାରା ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା।


