ସଂକ୍ରାନ୍ତିର ବୈଶିଷ୍ଟ୍ୟ ଓ ଓଡ଼ିଆ ନବବର୍ଷ

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନଅଗୋଟି ଗ୍ରହ,ବାରଗୋଟି ରାଶି ଓ ସତେଇଶି ଗୋଟି ନକ୍ଷତ୍ର ରହିଛନ୍ତି। ସେଥି ମଧ୍ୟରୁ ରବି ( ସୂର୍ଯ୍ୟ ) ହେଉଛନ୍ତି ଗ୍ରହରାଜ । ସେହି ଗ୍ରହରାଜଙ୍କୁ ପୃଥିବୀ ନିଜ କକ୍ଷପଥରେ ରହି ପ୍ରତିବର୍ଷ ପରିକ୍ରମା କରିଥାଏ। ଏହି ସମୟରେ ସୂର୍ଯ୍ୟ ବାରଗୋଟି ରାଶିରେ ଏକ ଏକ ମାସ ଅବସ୍ଥାନ କରିଥାନ୍ତି। ସେ ଗୋଟିଏ ରାଶିଚକ୍ରରୁ ଅନ୍ୟ ଗୋଟିଏ ରାଶିଚକ୍ରକୁ ସଂକ୍ରମଣ ( ଗମନ ) କରିବା ସମୟକୁ ସଂକ୍ରାନ୍ତି କୁହାଯାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି: “ରବି ସଂକ୍ରମଣଂ ଚୈବ ସଂକ୍ରାନ୍ତିରିତି କଥ୍ୟତେ”। ସାଧାରଣତଃ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କର ଦୁଇ ପ୍ରକାରର ଗତି ରହିଛି। ଗୋଟିଏ ହେଉଛି ‘ନିରୟଣ’ ଏବଂ ଅନ୍ୟଟି ‘ସାୟନ’ । ଉଭୟ ଗତି ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ସ୍ଥିତି ଗଣନା କରିବାର ମୁଖ୍ୟ ଦୁଇଟି ପଦ୍ଧତି । ନିରୟଣର ଅର୍ଥ ହେଉଛି ଅୟନ ବିହୀନ । ସେ’ପରି ସାୟନ ଏହାର ଅର୍ଥ ହେଉଛି ‘ଅୟନ ସହିତ’। ଏହି ପଦ୍ଧତି ଋତୁ ପରିବର୍ତ୍ତନ ଏବଂ ସୂର୍ଯ୍ୟଙ୍କ ଅୟନ ଚଳନ ଉପରେ ଆଧାରିତ।
ପଞ୍ଜିକାନୁଯାୟୀ ପ୍ରତ୍ୟେକ ସଂକ୍ରାନ୍ତି ସୂର୍ଯ୍ୟଙ୍କ ରାଶିଚକ୍ରର ନାମାନୁସାରେ ନାମିତ ହୋଇଛି। ଯଥା: ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଚ୍ଛା, ଧନୁ, ମକର, କୁମ୍ଭ ଓ ମୀନ। ଏହି ବାରଗୋଟି ସଂକ୍ରାନ୍ତିକୁ ପ୍ରତେକ ବାର ଅନୁଯାୟୀ ମଧ୍ଯ ନାମିତ କରାଯାଇଛି। ଯେପରି ରବିବାର ଦିନ ସଂକ୍ରାନ୍ତି ହେଲେ ଏହାର ନାମ ଘୋରା ହୋଇଥାଏ । ସେ’ପରି ସୋମବାର ହେଲେ ଧ୍ୱାଂକ୍ଷୀ, ମଙ୍ଗଳବାର ହେଲେ ମହୋଦରୀ, ବୁଧବାର ହେଲେ ମନ୍ଦାକିନୀ, ଗୁରୁବାର ହେଲେ ମନ୍ଦା, ଶୁକ୍ରବାର ହେଲେ ମିଶ୍ରା ଓ ଶନିବାର ହେଲେ ରାକ୍ଷସୀ କୁହାଯାଏ। ଏ ବରଗୋଟି ସଂକ୍ରାନ୍ତି ବର୍ଷର ସମସ୍ତ ସୌରମାସରେ ହୋଇଥାଏ କିନ୍ତୁ ଚନ୍ଦ୍ର ଗଣନା ଅନୁଯାୟୀ ଅଧିମାସ ବା ମଳମାସ ହେଲେ , ଉକ୍ତ ମାସରେ ସଂକ୍ରାନ୍ତି ହୁଏ ନାହିଁ। ସଂକ୍ରାନ୍ତିକୁ ନିରଂଶ ଦିବସ ମଧ୍ୟ କୁହାଯାଏ। ଏଣୁ ଶାସ୍ତ୍ରାଦିରେ ଉକ୍ତ ଦିନ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ କରାଯାଇଛି ପରନ୍ତୁ ଏହି ସମୟରେ ଦାନ, ଧର୍ମ, ଶାନ୍ତି ହୋମ ଓ ପୂଜାପାଠ କରିବା ଦ୍ୱାରା ଅଶେଷ ପୁଣ୍ୟ ମିଳିଥାଏ ବୋଲି କୁହାଯାଇଛି:
ସାୟନସ୍ୟ ରବେର୍ବାପି ଯଦା ସଙ୍କ୍ରମଣଂ ଭବେତ୍ ।
ତଦା ସ୍ୟାଦଧିକଂ ପୁଣ୍ୟଂ ରହସ୍ୟଂ ବିଦୁଷା ହି ତତ୍ ॥”
ଅର୍ଥାତ୍ ଯେତେବେଳେ ସାୟନ ସୂର୍ଯ୍ୟଙ୍କର ସଂକ୍ରାନ୍ତି ହୁଏ, ସେତେବେଳେ ଅଧିକ ପୁଣ୍ୟ ପ୍ରାପ୍ତି ହୋଇଥାଏ; ଯା’ର ରହସ୍ୟ କେବଳ ବିଦ୍ୱାନମାନଙ୍କୁ ହିଁ ଗୋଚର ।” ଆମର ଓଡ଼ିଆ ସଂସ୍କୃତିରେ ପ୍ରତେକ ସଂକ୍ରାନ୍ତିର ମହତ୍ତ୍ଵ ରହିଛି। ସେଥି ମଧ୍ୟରୁ ମେଷ ସଂକ୍ରାନ୍ତିର ବିଶେଷ ମହତ୍ତ୍ଵ ଦେଖିବାକୁ ମିଳେ । ଯାହା ଆମ ପାଇଁ ଅତିଆନନ୍ଦ ଓ ଉତ୍ସବର ଦିଵସ। କାରଣ ଏହା ହେଉଛି ଓଡ଼ିଆ ଜାତିର ନୂତନ ବର୍ଷ। ଏହି ସମୟରେ ପୃଥିବୀ ବିଷୁବ ରେଖାକୁ ଗତି କରିଥାଏ। ଏଥି ଯୋଗୁଁ ଦିନ ଓ ରାତି ସମାନ ହୋଇଥାଏ, ତେଣୁ ଏହାକୁ ‘ବିଷୁବ ସଂକ୍ରାନ୍ତି’ କୁହାଯାଏ। ଏ କାଳରେ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ। ଏଥି ଯୋଗୁଁ ଉତ୍ତାପ ବୃଦ୍ଧି ଘଟେ, ତେଣୁ ଶରୀରକୁ ସନ୍ତୁଳିତ ରଖିବା ପାଇଁ ବେଲ, ଛେନା, କଦଳୀ ଓ କ୍ଷୀରରୁ ପ୍ରସ୍ତୁତ ସୁସ୍ୱାଦୁ ପଣା ଭୋଗ କରାଯାଇ ବଣ୍ଟନ କରାଯାଏ। ଏଣୁ ଏହାର ନାମ ପଣା ସଂକ୍ରାନ୍ତି। ଏହି ଦିନ ଓଡ଼ିଆଙ୍କ ଘରେ ଚଉରା
ଉପରେ ଏକ ଛୋଟ ଝରା ମାଠିଆ ବନ୍ଧାଯାଏ , ଯାହାକୁ ‘ବସୁଧା ବସା’ କୁହାଯାଏ। ସେ’ପରି ଏହି ଦିନ ବୀର ହନୁମାନଙ୍କ ଜନ୍ମୋତ୍ସବ ପାଳନ କରାଯିବା ସହିତ ବିଶେଷଭାବେ ମନ୍ଦିରମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏଵଂ ହନୁମାନ ଚାଳିଶା ପାଠ କରାଯାଏ। ତତ୍ସହିତ ମା’ ମଙ୍ଗଳା ଓ ମା’ ଚର୍ଚ୍ଚିକାଙ୍କ ପୀଠରେ ‘ଝାମୁ ଯାତ୍ରା’ ହୋଇଥାଏ। ଏ ଶୁଭାବସରରେ ଭକ୍ତମାନେ ନିଆଁ ଉପରେ ଚାଲି ନିଜର ଭକ୍ତି ପ୍ରଦର୍ଶନ କରନ୍ତି ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଦଣ୍ଡ ନାଚର ଉଦଯାପନୀ ମଧ୍ୟ ହୋଇଥାଏ ।
  ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ଆମକୁ ଆମର ମୂଳ ସଂସ୍କୃତି ସହ ଯୋଡ଼ିଥାଏ। ଏହା କେବଳ ଏକ ପର୍ବ ନୁହେଁ, ବରଂ ପ୍ରକୃତିର ପୂଜା ଏବଂ ମାନବ ସମାଜ ମଧ୍ୟରେ ଭାତୃଭାବ ସୃଷ୍ଟି କରିବାର ଏକ ଶ୍ରେଷ୍ଠ ମାଧ୍ୟମ। ଯାହା ଆମ ସଂସ୍କୃତି ଓ ପରମ୍ପରାର ଏକ ଅମ୍ଳାନ ପ୍ରତୀକ। ଆମର ଏହି ଗୌରବମୟ ପରମ୍ପରାକୁ ବଞ୍ଚାଇ ରଖିବା ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ୟ। ଆସନ୍ତୁ, ଏହି ନୂତନ ବର୍ଷରେ ଶପଥ ନେବା ଯେ ଆମେ ଆମର ମାତୃଭାଷା ଓ ମାତୃଭୂମିର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରିବା।
ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ
ଖମ୍ବେଶ୍ଵରୀ ପାଟଣା 
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ