କାଳବୈଶାଖୀ ତାଣ୍ଡବ: ପ୍ରବଳ ବର୍ଷା ବିଜୁଳି ଓ ପବନ ବ୍ୟାପକ କ୍ଷୟକ୍ଷତି
ଧାମନଗର (ଓ୍ବାଇଏନଏସ): ଧାମନଗର ଅଞ୍ଚଳରେ ଭୟଙ୍କର କାଳବୈଶାଖୀ ତାଣ୍ଡବ:ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି, ଭୟଙ୍କର ରୁପ ଧାରଣ କଲା ପବନ ବ୍ୟାପକ କ୍ଷୟକ୍ଷତି ପରିଲକ୍ଷିତ ହୋଇଛି। ଅପରାହ୍ନ ୪ଟା ରୁ ଦୀର୍ଘ ଦୁଇ ଘଣ୍ଟା ଧରି ଲାଗି ରହିଥିଲା ତାଣ୍ଡବ। ପବନ ଯୋଗୁଁ କେଉଁଠି ଗଛ ପଡି ଯାନବାହନ ଚଳାଚଳ ବନ୍ଦ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ସହିତ ତାର ଛିଡି ବହୁ କ୍ଷୟକ୍ଷତି ହୋଇଛି। ଧାମନଗର-କୋଠାର ମୁଖ୍ୟ ରାସ୍ତା ଉପରେ ବିରାଟ ବଡ଼ ଗଛ ପଡି କିଛି ସମୟ ପାଇଁ ରାସ୍ତାରେ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅଗ୍ନି ଶମ ବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ଗଛକୁ କାଟିବାରୁ ଚଳାଚଳ ସ୍ବାଭାବିକ ହୋଇଥିଲା। ଏପଟେ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କଲେ ମଧ୍ୟ ବିଦ୍ୟୁତ ସଂଯୋଗରେ ସମୟ ଲାଗିବ ବୋଲି ସୂଚନା ଦିଆଯାଇଛି। ବର୍ଷା ପବନ ଯୋଗୁଁ ପନିପରିବା ଫସଲ ନଷ୍ଟ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଚାଷୀ ମାନଙ୍କ ମଧ୍ୟରେ ଚିନ୍ତା ଓ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଧାମନଗର ସହରାଞ୍ଚଳରେ ଦୋକାନ ବଜାର ବନ୍ଦ ସାଙ୍ଗକୁ ରାସ୍ତାଘାଟ ଶୂନ ଶାନ ଦେଖିବାକୁ ମିଳିଥିଲା। ତଳିଆ ଅଞ୍ଚଳରେ ଛପର ଘରକୁ ପବନ ଉଡାଇ ନେଇଥିବା ବେଳେ କେତେକ ଘର ଭାଙ୍ଗିଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳର ରାଜସ୍ବ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରି ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି।


