ସରକାରୀ ବିଦେଶୀ ମଦ ଦୋକାନ ପାଇଁ ଲଟେରୀ ପ୍ରକ୍ରିୟା ଶେଷ:
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଅବକାରୀ ଜିଲ୍ଲା ଅଧୀନରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ଗୁଡ଼ିକର ବଣ୍ଟନ ପାଇଁ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ସ୍ୱଚ୍ଛତା ଓ ନିରପେକ୍ଷତା ସହ ଲଟେରୀ ପ୍ରକ୍ରିୟା ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି.କ୍ରୀତ୍ତିଭାସନ ନିଜ ଆଖିରେ କଳାପଟି ବାନ୍ଧି ପ୍ରଥମ ଲଟେରୀ ଉଠାଇ ଏହି ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ଏବଂ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ, ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବା ସହ ଅତ୍ୟନ୍ତ ସ୍ୱଚ୍ଛତାର ସହ ଏହି ଲଟେରୀ କାର୍ଯ୍ୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଚଳିତ ମେ ମାସ ୫ ତାରିଖରୁ ଏହି ଟେଣ୍ଡର ପ୍ରକ୍ରିୟା ପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ମେ ୧୮ ତାରିଖ ଆବେଦନର ଶେଷ ସମୟ ଥିଲା। ଗଞ୍ଜାମ ଅବକାରୀ ଜିଲ୍ଲା ଅଧୀନରେ ଥିବା ମୋଟ ୪୫ ଟି କାଉଣ୍ଟର ପାଇଁ ଚଳିତ ବର୍ଷ ମୋଟ ୫୨୧ ଜଣ ଆଶାୟୀ ବ୍ୟବସାୟୀ ଆବେଦନ କରିଥିଲେ। ଆଜି ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଲଟେରୀ ପ୍ରକ୍ରିୟା ସମୟରେ ମଞ୍ଚରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କ ସମେତ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ସଚ୍ଚିଦାନନ୍ଦ ନାୟକ, ଗଞ୍ଜାମ ଅବକାରୀ ବିଭାଗର ଅଧିକ୍ଷିକ ଅମରେନ୍ଦ୍ର ଜେନା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଲଟେରୀ ପ୍ରକ୍ରିୟା ଶେଷ ହେବା ପରେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଥିବା ପ୍ରତିକ୍ରିୟା ଦେଇଛନ୍ତି ଜିଲ୍ଲାପାଳ l


