ପାରମ୍ପରିକ ଖାଦ୍ୟ ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡିଆ ପକ୍ଷ ପାଳନର ତ୍ରୟୋଦଶ ଦିନ ଅବସରରେ ସୋମବାର ଡେରାବିଶ ବ୍ଲକ ଅଧିନସ୍ଥ ମିଶନ ଶକ୍ତି କାଫେ ପରିସରରେ ଜିଲ୍ଲାସ୍ତରୀୟ “ପାରମ୍ପରିକ ଖାଦ୍ୟ ଦିବସ” ବହୁ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପରମ୍ପରା, ସ୍ୱାଦ ଓ ପୌଷ୍ଟିକ ମୂଲ୍ୟକୁ ପ୍ରଚାର ଓ ପ୍ରସାର କରିବା ସହ ଲୋକମାନଙ୍କୁ ଏହା ପ୍ରତି ଆକୃଷ୍ଟ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ଓଡ଼ିଆ ଖାଦ୍ୟର ଗୁରୁତ୍ୱ ବିଷୟରେ ଉଦବୋଦ୍ଧନ ଦେଇଥିଲେ। ସେ କହିଥିଲେ ଯେ, ଆମ ପାରମ୍ପରିକ ଖାଦ୍ୟ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟପ୍ରଦ ଓ ପୌଷ୍ଟିକ ମୂଲ୍ୟରେ ମଧ୍ୟ ସମୃଦ୍ଧ। ଏହାକୁ ଆମ ଦୈନନ୍ଦିନ ଜୀବନରେ ଅନୁସରଣ କରିବା ଦ୍ୱାରା ଆମେ ସୁସ୍ଥ ରହିପାରିବା ସହ ଆମ ପାରମ୍ପରିକତାକୁ ମଧ୍ୟ ସୁରକ୍ଷିତ ରଖିପାରିବା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଡେରାବିଶ ବିଡ଼ିଓ ନମିତା ବାରିକ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି ଓ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମିଶନଶକ୍ତି ଗୋଷ୍ଠୀ ଓ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ପାରମ୍ପରିକ ଓଡ଼ିଆ ଖାଦ୍ୟ ଗୁଡିକ ପ୍ରଦର୍ଶିତ ଓ ପ୍ରସ୍ତୁତ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ଏହି ସମସ୍ତ ଖାଦ୍ୟର ସ୍ୱାଦ ଗ୍ରହଣକରି ମହିଳାମାନଙ୍କ ପ୍ରୟାସକୁ ବହୁ ପ୍ରଶଂସା ମଧ୍ୟ କରିଥିଲେ। ଏହି ପାରମ୍ପରିକ ଖାଦ୍ୟ ଦିବସ ପାଳନ ମାଧ୍ୟମରେ ଆମ ମୂଳ ସଂସ୍କୃତି ଓ ପାରମ୍ପରିକ ଖାଦ୍ୟପ୍ରତି ଜନମାନସରେ ସଚେତନତା ସୃଷ୍ଟି ହୋଇଥିବା ସହ ଏହାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଏକ ସଫଳ ପ୍ରୟାସ ସରକାରଙ୍କ ପକ୍ଷରୁ କରାଯାଉଛି।


