ସୁଗର ଟାଉନ୍ ଜେସିସ୍ ପକ୍ଷରୁ ଜଳସେବା ଶିବିର
ଆସିକା (ୱାଇଏନ୍ଏସ୍) :ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ଆସିକା ସୁଗର୍ ଟାଉନ୍ ଜେସିସ୍ ପକ୍ଷରୁ ସଙ୍କଟମୋଚନ ହନୁମାନଙ୍କ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଅବସରରେ ମଙ୍ଗଳବାର ୧୩ ନମ୍ବର ୱାର୍ଡର ବିନାୟକ ବଜାର ଅଞ୍ଚଳରେ ଏକ ଜଳସେବା ଶିବିର ଆୟୋଜନ କରାଯାଇ ଶହ ଶହ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସୁଗର ଟାଉନ୍ ଜେସିସ୍ର କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ବିନାୟକ ବଜାର ମୁଖ୍ୟରାସ୍ତା ପାଶ୍ୱର୍ରେ ସାଧାରଣଜନତାଙ୍କୁ ମାଗଣାରେ ଦହିପଣା, ଛେନାପଣା, ନବାତପଣା, ଥଣ୍ଡା ପାନୀୟ ଜଳ ବଣ୍ଟନ କରିବା ସାଙ୍ଗକୁ ରୌଦ୍ରତାପରୁ ଆଶ୍ୱସ୍ତ ଦେବା ଲାଗି ମେସିନ୍ ସାହାଯ୍ୟରେ ଥଣ୍ଡାଜଳ ସ୍ପ୍ରେ କରିବା ସହ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଜଳସେବା ଶିବିର କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆସିକା ସୁଗର୍ ଟାଉନ୍ ଜେସିସ୍ର ସଭାପତି ଜେସି ଜଗନ୍ନାଥ ପଢିଆରୀ, ସଂପାଦକ ଜେସି କାର୍ତ୍ତିକ ପାତ୍ର, ପ୍ରତିଷ୍ଠାତା ସଭାପତି ଏଚ୍ଜିଏଫ୍ ଜେସି ଏସ୍.ଅନିଲ୍ କୁମାର ପୃଷ୍ଟି, ପ୍ରକଳ୍ପ ନିର୍ଦ୍ଦେଶକ ଜେସି ପ୍ରତୀକ୍ ଆଚାରୀ, ପୂର୍ବତନ ସଭାପତି ଜେସି ଡି.ବଦ୍ରିନାଥ ପାତ୍ର, ଜେସି ସତ୍ୟନାରାୟଣ ପାତ୍ର, ଜେସି ଡି.ଆଶିଷ୍ ପାତ୍ର, ଜେସି ସୁବୋଧ ରଂଜନ ନାୟକ, ଜେସି ବି.ଶିବଶଙ୍କର ପାତ୍ର, ଜେସି ଏ.ଶିବଶଙ୍କର ପାତ୍ର, ଜେସି ରୋଶନ ପାତ୍ର, ଜେସି ବସନ୍ତ କୁମାର ଭଂଜ, ଜେସି ଦିବାନ୍ ସୁବୁଦ୍ଧି, ଜେସି କିରଣ କୁମାର ପାଢୀ, ଜେସି ଦେବାଶିଷ୍ ପଣ୍ଡା, ସମାଜସେବୀ ପି.ଲକ୍ଷେଶ୍ୱର ପାତ୍ରଙ୍କ ସମେତ ବହୁ ସଦସ୍ୟ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଜଳସେବା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସୁଗର ଟାଉନ୍ ଜେସିସ୍ ପକ୍ଷରୁ ବର୍ଷତମାମ ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା ବହୁବିଧ ଜନକଲ୍ୟାଣକାରୀ ଓ ଜନସଚେତନାମୂଳକ କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।


