ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟର ପିଅନଙ୍କ ପରଲୋକ
ଗୁଣପୁର,(ୱାଇଏନଏସ): ଗୁଣପୁର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଚକ୍ରଗୁଡ଼ା ଗ୍ରାମ ନିବାସୀ ପୀତାମ୍ବର ଶବରଙ୍କର ମଙ୍ଗଳବାର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ସେ କାମଳ ରୋଗରେ ପିଢିତ ଥିଲେ। ପୂର୍ବରୁ ବହୁଦିନ ଧରି ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ସୁସ୍ଥ ହେବା ପରେ ପୁଣିଥରେ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ହଠାତ୍ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ସମୟରେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦିବଙ୍ଗତ ପୀତାମ୍ବର ଜଣେ ସରଳ, ନିଷ୍କପଟ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ତହସିଲଦାର ଲୀଳାବତୀ ଆଚାର୍ଜି ,ରେଜିଷ୍ଟାର କଣ୍ଡାଗିରି ଧୀରେନ୍ଦ୍ର କୁମାରଙ୍କ ସମତେ ଅଫିସ କର୍ମଚାରୀ ଶୋକବ୍ୟକ୍ତ କରିଛନ୍ତି। ସ୍ଵର୍ଗତଃ ପିତାମ୍ବର ଜଣେ ଭଲ ସଂଗଠକ ଭାବରେ ଶବର ସମାଜ ମଧ୍ୟରେ ବିଶେଷ ପ୍ରିୟ ଥିଲେ। ସେ ଶବର ସାଂସ୍କୃତିକ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ରାଜନୀତିରେ ମଧ୍ୟ ରୁଚି ରହିଥିଲା। ଶବର ସାଂସ୍କୃତିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।


