ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬
ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଳା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ପାଳିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇଥିଲେ । ତାଙ୍କ ସହିତ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ସଭାପତି, ବାଲେଶ୍ୱର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ମାନ୍ୟବର ଅଧ୍ୟକ୍ଷା, ବାଲେଶ୍ୱର ପୌରପାଳିକା ଶ୍ରୀମତୀ ସବିତା ସାହୁ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାଲେଶ୍ୱର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ନୀଳଗିରି ଉପ ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦର, ଶ୍ରୀଯୁକ୍ତ ଉତ୍ତମ କୁମାର ଜେନା, ଓଡ଼ିଶା ସରକଙ୍କ ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଲମ୍ବଧର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଜାତୀୟ ପଞ୍ଚାୟତିରାଜ ଦିବସ ବିଷୟରେ ଅତିଥି ମାନେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ପ୍ରତିବର୍ଷ ଏପ୍ରିଲ ୨୪ ତାରିଖରେ ଏହି ଦିବସ ପାଳନ କରାଯାଏ। ୧୯୯୩ ମସିହାରେ ୭୩ତମ ସଂବିଧାନ ସଂଶୋଧନ ମାଧ୍ୟମରେ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆଇନଗତ ମାନ୍ୟତା ଦିଆଯାଇଥିଲା, ଯାହା ଗ୍ରାମ ସ୍ତରରେ ଲୋକତନ୍ତ୍ରକୁ ଶକ୍ତିଶାଳୀ କରିଛି। ପଞ୍ଚାୟତି ରାଜ ବ୍ୟବସ୍ଥା ଆମ ଦେଶର ଗ୍ରାମ ଉନ୍ନତିର ମୂଳ ଭିତ୍ତି। ଏହା ମାଧ୍ୟମରେ ଲୋକମାନେ ସିଧାସଳଖ ଶାସନରେ ଅଂଶଗ୍ରହଣ କରିପାରନ୍ତି। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ — ଏହି ତିନିଟି ସ୍ତର ମାଧ୍ୟମରେ ଗ୍ରାମ ଉନ୍ନତି କାର୍ଯ୍ୟ ସମ୍ପନ୍ନ ହୁଏ। ଏହି କାର୍ଯ୍ୟ କ୍ରମରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରୁ ଅନେକ ସଂଖ୍ୟାରେ ସୁଭଦ୍ରା ମା ମାନେ, ପଞ୍ଚାୟତ ସ୍ତରର ଲୋକ ପ୍ରତିନିଧି ମାନେ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ, ସାମ୍ବାଦିକ ବନ୍ଧୁ ଗଣ ଉପସ୍ଥିତ ଥିଲେ । ସୁଶ୍ରୀ ହେଜେଲ ପାୟଲ ମଞ୍ଚ ପରିଚାଳନା କରିଥିଲେ । ଏଠାରେ ୧୨ ଜଣ ଅନ୍ତ୍ଯୋଦୟ ଗୃହ ଯୋଜନାର ନୂତନ ହିତାଧିକାରୀ ମାନଙ୍କୁ ଅତିଥିମାନେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ୩ ଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗରେ ଅଗ୍ରଣୀ ଲାଭ କରିଥିବା ପଞ୍ଚାୟତ ସଂସ୍ଥା ମାନଙ୍କୁ ପୁରସ୍କୃତ କରଯାଇଥିଲା । ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ମାର୍ଗରୁ ଆଭାସି ଜରିଆରେ ସିଧାପ୍ରସାରଣ ମାଧ୍ୟମରେ ଯୋଡି ହୋଇଥିଲେ ।


