ଜାତୀୟ ରାଜପଥ ଡ୍ରେନ କାମ ନିମ୍ନମାନର: ସପ୍ତାହେ ପୁରିନି ଫାଟିଲାଣି ସ୍ଲାବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଚଣ୍ଡିଖୋଲରୁ ପାରାଦୀପକୁ ୨ହଜାର କୋଟିରୁ ଅଧିକ ଟଙ୍କାରେ ୫୩ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥରୁ ବର୍ଷାଜଳ ନିଷ୍କାସନ ନେଇ ଡ୍ରେନ ନିର୍ମାଣ ଚାଲିଛି। କିନ୍ତୁ ଦାୟିତ୍ୱରେ ଥିବା ଠିକାସଂସ୍ଥା ଡ୍ରେନ ନିର୍ମାଣ କାର୍ଯ୍ୟକୁ ଅତ୍ୟନ୍ତ ନିମ୍ନମାନର କରୁଛନ୍ତି। ଯାହାଫଳରେ ମାତ୍ର ସପ୍ତାହ ମଧ୍ୟରେ ଡ୍ରେନ ଉପରେ ପଡିଥିବା ସ୍ଲାବ ସବୁ ଫାଟିଗଲାଣି। ତେଣୁ ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ନିମ୍ନମାନର କାମକୁ ନେଇ କେନ୍ଦ୍ରାପଡାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବସ୍ୱାଭୀମାନ ମଞ୍ଚପ୍ରଶ୍ନ ଉଠାଇଛି। ମଞ୍ଚର ସଭାପତି ସ୍ମୃତିରଞ୍ଜନ ଜେନା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଠିକାସଂସ୍ଥା ଯେଉଁ କାର୍ଯ୍ୟ କରୁଛି ତାହାକୁ ବିଭାଗୀୟ ଅଧିକାରୀମାନେ ତଦାରଖ କରୁନାହାନ୍ତି। ଯାହାଫଳରେ ରାଜପଥ ନିର୍ମାଣରେ ବହୁ ନିମ୍ନମାନର କାର୍ଯ୍ୟ କରାଯାଉଛି। ଏକମାସ ପୂର୍ବରୁ ଶ୍ୟାମସୁନ୍ଦରପୁର ନିକଟରେ ନିର୍ମାଣାଧିନ ରାସ୍ତାର ୨ଶହ ମିଟର ଭୁଷୁଡି ପଡିଥିଲା। ସେହି ଘଟଣା ସ୍ପଷ୍ଟ କରିଥିଲା ଠିକାସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଛି। ଏହି ଘଟଣା ପରେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚେତିନଥିଲେ। ଏପରିକି କର୍ତ୍ତୃପକ୍ଷ ଠିକାସଂସ୍ଥାକୁ ତାଗିଦ କରିନଥିଲେ। ଏହାଦ୍ୱାରା ଠିକାସଂସ୍ଥାର ସାହାସ ବଢିଲା। ଏଣୁ ଠିକାସଂସ୍ଥା ନିମ୍ନମାନର କାର୍ଯ୍ୟ କରିଚାଲିଲା। ନିକଟରେ ଫୁଟପାଥ କାମ ନିମ୍ନମାନର କରିଥିଲା। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଲେ। ଘଟଣାର ତଦନ୍ତ ହେଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଯାହାଫଳରେ ଠିକାସଂସ୍ଥା ଏବେ ଡ୍ରେନ କାମ ନିମ୍ନମାନର କରୁଛି। କେବଳ ଟିକସଦାତାଙ୍କ ଅର୍ଥ ହରିଲୁଟ କରିବା ପାଇଁ ଠିକାସଂସ୍ଥାକୁ ଲାଇସେନ୍ସ ଦିଆଯାଇଛି। କାରଣ ଠିକାସଂସ୍ଥା ଯାହା କଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଜିଲ୍ଲା ପ୍ରଶାସନର ମଧ୍ୟ ଏହା ଉପରେ କୈାଣସି ଲଗାମ ରହୁନାହିଁ। ଯାହାଫଳରେ ନିମ୍ନମାନର କାର୍ଯ୍ୟ କରାଯାଇ ଜନସାଧାରଣଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ପଥ ପରିସ୍କାର କରାଯାଉଛି ବୋଲି ସ୍ୱାଭିମାନ ମଞ୍ଚର ସଭାପତି ଶ୍ରୀ ଜେନା ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ