ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରୁ ଛଟେଇ ହେଲେ ୭ ଆଉଟସୋର୍ସିଂ କର୍ମଚାରୀ
ଆସିକା (ୱାଇଏନ୍ଏସ୍) :ଆସିକା ନିରଞ୍ଜନ ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟରେ ଦୀର୍ଘ ଦିନ ଧରି ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟରତ ଥିବା ୭ ଜଣ ପିଅନ, ଜଗୁଆଳ ଓ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଥିବା ଯୋଗୁଁ ଶିକ୍ଷାନୁଷ୍ଠାନର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ବାଧାପ୍ରାପ୍ତ ହେବା ସହ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଠିକା ବା ଆଉଟସୋର୍ସିଂ ମାଧ୍ୟମରେ ଅଣଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ନଦେବା ପାଇଁ ଗତ କିଛି ଦିନ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଜଣାପଡିଛି । ସେମାନଙ୍କ ଚୁକ୍ତିକୁ ନବୀକରଣ କରାଯାଇନଥିବା ଯୋଗୁଁ ମାନବ ସମ୍ବଳ ପରିସ୍ଥିତି ସୃଷ୍ଟି ହୋଇଛି । ଆସିକା ନିରଞ୍ଜନ ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟରେ ଦୀର୍ଘ ଦିନ ଧରି ଆଉଟସୋର୍ସିଂ ପଦ୍ଧତିରେ ସଚ୍ଚୋଟତାର ସହ କାର୍ଯ୍ୟ କରିଆସୁଥିବା ୭ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଯୋଗୁଁ ଶିକ୍ଷାନୁଷ୍ଠାନର ପରିମଳ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ ଗତି କରୁଥିଲା ବେଳେ ଆବଶ୍ୟକୀୟ ପିଅନ ପଦବୀ ଖାଲି ଥିବା ଯୋଗୁଁ ବିଭିନ୍ନ ସମୟରେ ଶିକ୍ଷାଦାନ ଦାୟିତ୍ୱରେ ଥିବା ପଦାଧିକାରୀମାନେ ତାଲା ଖୋଲୁଥିବା ଅଭିଯୋଗ ହେଉଛି । ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟରତ ଥିବା ସଂସ୍ଥାର ନବୀକରଣ ନିୟମ ରହିଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟ ଅବଧିକୁ ବୃଦ୍ଧି କରାଯାଇପାରିନାହିଁ । ଯାହାରି ଫଳରେ ଆସିକା ନିରଞ୍ଜନ ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆଉଟସୋର୍ସିଂ ପଦ୍ଧତିରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା ୭ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଆସିକା ନିରଞ୍ଜନ ସରକାରୀ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ୭ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ଶିକ୍ଷାନୁଷ୍ଠାନରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ତେଣୁ ସମସ୍ୟାର ସମାଧାନ ଲାଗି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆସିକା ନିରଞ୍ଜନ ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟକୁ ସୁପରିଚାଳନା ପାଇଁ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।


