ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତିକୁ ନେଇ ଅନଶନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆଳି ବ୍ଲକ ଅଧିନ ମହୁ ବଜାରଦାଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ରର ବ୍ୟାପକ ଦୁର୍ନୀତି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ୨୦ ତାରିଖ ଠାରୁ ଆଳି ସିଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୭ ଦଫା ଦାବି ପୂରଣ ନିମନ୍ତେ ଦୀର୍ଘ ୮ ଦିନ ହେବ ଧାରଣା ଦିଆଯିବା ପରେ ଗତ ତିନିଦିନ ହେବ ଆମରଣ ଅନଶନରେ ବସିରହିଛନ୍ତି ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ। ଅର୍ଥାତ୍ ଧାରଣା ଓ ଅନଶନ ମିଶିକି ୧୧ ଦିନ ହେଲା ଆଳି ସିଡ଼ିପିଓଙ୍କ ଅଫିସ ସମ୍ମୁଖରେ ଦିନରାତି ବସିଛନ୍ତି ଅଭିଯୋଗକାରୀ ଦୁଷ୍ମନ୍ତ। ଏହି ଧାରଣା ଓ ଅନଶନ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରି ଅନଶନରେ ବସିଥିବା ବେଳେ ଗତ ସୋମବାର ଆଳି ବ୍ଲକରେ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ ଅନଶନ ସ୍ଥଳରୁ ମାତ୍ର ଏକଶହ ମିଟର ଦୂରରେ ହେଇଥିବା ବେଳେ ଅନଶନରେ ବସିଥିବା ଦୁଷ୍ମନ୍ତଙ୍କ ନିକଟକୁ ଜିଲ୍ଲାପାଳ ଗଲେ ନାହିଁ। ଏସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳ କହିଲେ ଏହି ଅଙ୍ଗନୱାଡ଼ି କେନ୍ଦ୍ର ସମ୍ବନ୍ଧରେ ଆଗରୁ ଦୁଇ ଥର ତଦନ୍ତ ହୋଇଛି। ଏବେ ଆଉ ଥରେ ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରାଯାଇଛି। ସେହି କମିଟି ଅଭିଯୋଗର ତଦନ୍ତ କରିବ। ଏହା ସ୍ୱାଗତ ଯୋଗ୍ୟ ହୋଇଥିବା ବେଳେ ଅନଶନକାରୀଙ୍କ ସହିତ ଅଙ୍ଗନୱାଡ଼ି କେନ୍ଦ୍ରର କିଛି ବ୍ୟକ୍ତିଗତ ଶତ୍ରୁତା ପାଇଁ ଏଭଳି ଘଟିଛି ବୋଲି ମଧ୍ୟ ଜିଲ୍ଲାପାଳ ମତ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ମନ୍ତବ୍ୟ ଉପରେ ଅନଶନକାରୀ ଦୁଷ୍ମନ୍ତ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଜିଲ୍ଲାପାଳ ଗୋଟିଏ ପକ୍ଷର କଥା ଶୁଣି ଏଭଳି ମତାମତ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିବା ବେଳେ ପ୍ରକୃତ ଘଟଣାର ସମସ୍ତ କାଗଜପତ୍ର ପ୍ରମାଣ ସ୍ୱରୂପ ଦେଇଥିଲେ। ଦୁଷ୍ମନ୍ତ ପ୍ରଦାନ କରିଥିବା ସୂଚନା ମୁତାବକ ମହୁ ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ସରକାରଙ୍କ ସହାୟତା ହିତାଧିକାରୀଙ୍କ ନିକଟରେ ନପହଞ୍ଚିବା ଓ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଆସୁଥିବା ସରକାରୀ ସହାୟତା, ମେଡିକାଲ କିଟ୍, ଗାଁ କଲ୍ୟାଣ ଯୋଜନାରେ ଆସୁଥିବା ଅର୍ଥ ରାଶି, ଉପସ୍ଥିତ ଥିବା ପିଲା ସଂଖ୍ୟାରୁ ଅଧିକ ଉପସ୍ଥାନ ପକାଇବା ଇତ୍ୟାଦି ମନମୁଖୀ କାର୍ଯ୍ୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ମଣ୍ଡଳ ପରିଦର୍ଷିକା ସୁଭାଷିନୀ ନାୟକ ଗତ ୨୦୨୩ ମସିହା ଡିସେମ୍ବରମାସ ୧୮ତାରିଖରେ ଏବଂ ୨୦୨୪ମସିହା ଅପ୍ରେଲମାସ ୨୬ ତାରିଖରେ ପତ୍ର ସଂଖ୍ୟା ୧ ଏବଂ ୨ ରେ ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଲିଖିତ ନୋଟିସ କରିଥିଲେ। ଏହାପରେ ଗ୍ରାମବାସୀଙ୍କ ଅଭିଯୋଗ ଆଧାର କ୍ରମେ ମଣ୍ଡଳ ପରିଦାର୍ଷିକା ସୁଭାଷିନୀ ନାୟକ ତଦନ୍ତ କରି ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଗତ ମାର୍ଚ୍ଚମାସ ୨୬ତାରିଖରେ ଏକ ଲିଖିତ ତଦନ୍ତ ରିପୋର୍ଟ ପ୍ରଦାନ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ। ପରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଗତ ୨୦୨୪ମସିହା ଅପ୍ରେଲମାସ ୫ତାରିଖରେ ପ୍ରାକ୍ତନ ଆଳି ସିଡ଼ିପିଓ ପଙ୍କଜିନୀ ମିଶ୍ରଙ୍କ ନେତୃତ୍ୱରେ ମଣ୍ଡଳ ପରିଦର୍ଷିକା ଓ କିରାଣୀଙ୍କ ସମେତ ଏକ ୫ ଜଣିଆ ଦଳ ଦ୍ୱାରା ଘଟଣାର ତଦନ୍ତ କରାଗଲା। ଏଥିରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ପତ୍ର ସଂଖ୍ୟା ୩୪୮ ରେ କାହିଁକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ସିଡ଼ିପିଓ ନୋଟିସ କରିଥିଲେ। ତେବେ ବାରମ୍ବାର ତଦନ୍ତ କରାଯିବା ପରେ ଦୁର୍ନୀତି ହୋଇଥିବା ଓ ସରକାରୀ ସହାୟତାରୁ ହିତାଧିକାରୀ ବଞ୍ଚିତ ରହିଥିବା ନେଇ ତଦନ୍ତରେ ଧରା ପଡ଼ିଥିବା ବେଳେ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ବୋଧେ ଅବଗତ କରାଯାଇନାହିଁ ବୋଲି ଅନଶନକାରୀ ପ୍ରଶ୍ନ କରିଛନ୍ତି? ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଖବର ପ୍ରସାରଣ ପରେ ଅଙ୍ଗନୱାଡ଼ିି କର୍ମୀଙ୍କ ସ୍ୱାମୀ ଦୁଷ୍ମନ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଦୁଷ୍ମନ୍ତ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତେ ସବୁ ପରେ ଜିଲ୍ଲାପାଳ କହିଥିବା ମୁତାବକ ପୁନର୍ବାର କେବେ ତଦନ୍ତ ହେବ ତା ଉପରେ ସଭିଙ୍କ ନଜର ରହିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଅନଶନରେ ଦୁଷ୍ମନ୍ତ ବସି ରହିବେ ବୋଲି କହିଛନ୍ତି। ପ୍ରକାଶ ଥାଉ କି ଦୁଷ୍ମନ୍ତ କରିଥିବା ଅଭିଯୋଗଟି ସିଡ଼ିପିଓ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସକୁ ପ୍ରଦାନ କରି ମାମଲା ରୁଜୁ କରାଯିବା ସହ ହୋଇଥିବା ସରକାରୀ ସହାୟତା ଲୁଟ ଉପରେ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ସିଡ଼ିପିଓ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଭିଜିଲାନ୍ସ ବିଭାଗରେ ମାମଲା ରୁଜୁ କରାଯିବାକୁ ସେ ଦାବି କରିଛନ୍ତି ।


